ଦଳରୁ ଇସ୍ତଫା ଦେଇ ସମ୍ପାଦକୀୟ ଲେଖନ୍ତୁ ସୌମ୍ୟ: ମନ୍ତ୍ରୀ ପ୍ରତାପ ଦେବ
ଭୁବନେଶ୍ୱର (ସଂକେତ୍ ଟିଭି) ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଆଜି ବିଜେଡିର ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଏକ ନିର୍ଦ୍ଦିଷ୍ଟ ଦଳର ବିଧାୟକ ହୋଇ ମଧ୍ୟ ବାରମ୍ବାର ଦଳ ଏବଂ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ଯାହାକୁ ବ୍ଲାକମେଲ ବୋଲି କୁହାଯାଏ । ସେ ଉଦ୍ଦେଶ୍ୟମୂଳକଭାବେ ଦଳ ବିରୋଧରେ ଲେଖୁଛନ୍ତି । ଯଦି କିଛି କହିବାର ଅଛି ତାହେଲେ ଦଳୀୟ ପ୍ଲାଟଫର୍ମରେ କୁହନ୍ତୁ । ଯଦି ଦଳ କଥା ମାନୁନାହାନ୍ତି ତାହାଲେ ଦଳରୁ ଇସ୍ତଫା ଦେଇଦିଅନ୍ତୁ ଏବଂ ସମ୍ପାଦକୀୟ ଲେଖନ୍ତୁ ।
ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଲୋକଙ୍କ ପାଖକୁ ଯାଉଛି କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷ ଯାଉନି । ଏହାକୁ ମୁଖ୍ୟମନ୍ତ୍ରୀ ବି ସ୍ପଷ୍ଟ କରି ସାରିଛନ୍ତି । ମାତ୍ର ସେଇ ଜିନିଷ କୁ ବ୍ୟାଖ୍ୟା କରି ନିର୍ଦ୍ଦିଷ୍ଟ ଭାବେ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର କୁ ଆକ୍ରୋଶ ମୂଳକ ଭାବେ ଇଙ୍ଗିତ କରିବା ସମୀଚିନ ନୁହେଁ ଓ ସମ୍ପୂର୍ଣ୍ଣ ଭୁଲ ।
ଘର ଭିତରେ ରହି ଘର ଭିତରୁ ଆଲୋଚନା ସମାଲୋଚନା କରିବା ନିଶ୍ଚିତ ଭାବେ ଅନୁଶାସନ ଭଙ୍ଗ କରୁଛି । ଦଳର ଡିସିପିଲିନ ବି ଭଙ୍ଗ କରୁଛି । ସମ୍ପାଦକୀୟ ଆଳରେ ଦଳ ଭିତରେ ରହି ଦଳର ଅନୁଶାସନ ଭାଙ୍ଗୁଛନ୍ତି । ଧାରାବାହିକ ଭାବେ ଉଦ୍ଧେଶ୍ୟ ମୂଳକ ଭାବେ ଲେଖା ଯାଉଛି । ଯଦି କିଛି କହିବାର ଅଛି ଦଳରୁ ବାହାରି ଯାଇ ବାହାରେ କୁହନ୍ତୁ । ଯଦି ସମ୍ପାଦକୀୟ ଲେଖିବାର ଅଛି ଦଳରୁ ବାହାରି ଯାଇ ସମ୍ପାଦକୀୟ ଲେଖନ୍ତୁ । ଏଇଟା ମୋ ମତ ଏବଂ ବିଜୁ ଜନତା ଦଳ ଭିତରେ ଅନେକଙ୍କ ମତ ବି ଏଇଆ ବୋଲି ସେ କହିଛନ୍ତି ।
ସେପଟେ ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ଉତ୍ତର ହେଇ କହିଛନ୍ତି ଯେ ପ୍ରତାପ ଦେବ ମୋତେ ନିର୍ଦ୍ଦେଶ ଦେଇ ପାରିବେନି ଯେ ମୁଁ ସମ୍ପାଦକୀୟ ଲେଖିବି କି ଦଳରେ ରହିବି । ପ୍ରତାପ ଦେବ କଣ ଯାହା କହିବେ ତାହା ବେଦର ଗାର । ସେ ରଜାଘର ଲୋକ ସମସ୍ତ ଙ୍କୁ ପ୍ରଜା ବୋଲି ଭାବନ୍ତି ।
ମୁଁ ସେଭଳି ପ୍ରଜା କି ନାଗରିକ ନୁହେଁ । ମୁଁ ପ୍ରତାପ ଙ୍କ ଅସହାୟ ବୋଧ ଦେଖି କି ମୁଁ ଅତ୍ୟନ୍ତ ଦୁଃଖିତ । ଦୁଇ ଦିନ ଧରି ବ୍ଲାକ ମେଲ ଶବ୍ଦ କୁ ବାରମ୍ବାର ବ୍ୟବହାର କରାଯାଉଛି । ମୁଁ ବୁଝେ ବ୍ଲାକ ମେଲ ଶବ୍ଦ ର ଅର୍ଥ ହେଉଛି ଯାହାର କିଛି ଲୁଚେଇବାକୁ ଥିବ ବା ଡରି ବାକୁ ଥିବ ବା ଦୁର୍ବଳତା ଥିବ ସେ ହିଁ ବ୍ଲାକ ମେଲ ହୁଏ । ମୁଁ ତ ଦଳର କି ସେ ବ୍ୟକ୍ତି ମାନଙ୍କର ତ କୌଣସି ଦୁର୍ବଳତା ଜାଣି ନାହିଁ ସେଥିପାଇଁ ତାଙ୍କୁ ବ୍ଲାକ ମେଲ କରିବି ।
ପ୍ରତାପ ଦେବ କହିଛନ୍ତି ଯେ ମୁଁ ସମ୍ପାଦକୀୟ ଭାବେ ଦଳ ବିଷୟରେ ଲେଖି ଦଳର ଅନୁଶାସନ ଭାଙ୍ଗୁଛି । ମୁଁ ଦୁଇ ତିନୋଟି ବୃତ୍ତି ରେ ରହିଛି । ସେଥିପାଇଁ ଏ ପ୍ରକାର ଦ୍ଵନ୍ଦ ହେବା ସ୍ଵଭାବିକ । କିନ୍ତୁ ମୁଁ ସମ୍ପାଦକୀୟରେ ଯେଉଁଟା ଲେଖୁଛି ସେଇଟା କେଉଁଠି ଦଳର ଅନୁଶାସନ ବିରୋଧରେ ଯାଉଛି ତାହା ମୁଁ ବୁଝି ପାରୁନି । ମୁଁ ଯାହା ଲେଖିଛି ତାହା ଦଳର ବୃହତ୍ତର ସ୍ୱାର୍ଥ ପାଇଁ ଲେଖିଛି ।
ଏହା ଦ୍ୱାରା ଦଳର କଲ୍ୟାଣ ହେବ ପଛେ ଅମଙ୍ଗଳ ହେବ ନାହିଁ । ଦଳ କାହାକୁ ଡ଼ରୁଛି । ଦଳ କାହିଁକି ଡ଼ରୁଛି । ଦଳ ଏତେ ବଳଶାଳୀ । ବିଜେପି କୁ ଆମେ ବି ପ୍ରତିଦ୍ବନ୍ଦି ବୋଲି ଭାବୁନୁ । ଲୋକଙ୍କ ଏତେ ଆର୍ଶୀବାଦ ପାଇବା ପରେ ବି କାହିଁକି ଆମେ ଏମିତି କରିବାକୁ ଯିବା ଯେ ଛୋଟ ଛୋଟ କଥା କୁ ନେଇ ଆମ ବିରୁଦ୍ଧରେ ଅଭିଯୋଗ ଆସିବ । ମୁଁ କାହିଁକି ଦଳ ଛାଡ଼ିବି ତାଙ୍କର ଯଦି ନିଲମ୍ବନ କରିବାର ଅଛି କରନ୍ତୁ ।