ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

ବିଶାଖାପାଟନମ୍(ସଂକେତ୍ ଟିଭି) ଆନ୍ଧ୍ରପ୍ରଦେଶର ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଆଜି ସକାଳ ୬ଟାରେ ନନ୍ଦ୍ୟାଲ ପୋଲିସ ଗିରଫ କରିଛି । ୩୫୦ କୋଟିର ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି ।

ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ନନ୍ଦାଲ ଜିଲ୍ଲାର ବନଗନପଲ୍ଲୀରେ ଜନସଭାକୁ ସମ୍ବୋଧିତ କରିଥିଲେ । ଜନସଭାକୁ ସମ୍ବୋଧନ ପରେ ଭ୍ୟାନରେ ବିଶ୍ରାମ ନେଇଥିଲେ । ଶନିବାର ଭୋର୍ ପ୍ରାୟ ୩ଟା ସମୟରେ ଆନ୍ଧ୍ର ପ୍ରଦେଶ ସିଆଇଡି ନାଇଡୁଙ୍କୁ ଗିରଫ କରିବା ଲାଗି ପହଞ୍ଚିଥିଲା । ଏତିକିବେଳେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଦେଖାଦେଇଥିଲା ପ୍ରବଳ ଉତ୍ତେଜନା । ଗିରଫକୁ ବିରୋଧ କରି ଏକାଠି ହୋଇଥିଲା ଶତାଧିକ ଟିଡିପି କର୍ମୀ । ପ୍ରବଳ ନାରାବାଜି କରିଥିଲେ । ଏତିକିବେଳେ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଟିଡିପି କର୍ମୀ । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଚନ୍ଦ୍ରବାବୁଙ୍କ ଗିରଫ ପରେ ପୂର୍ବ ଗୋଦାବରୀ ଜିଲ୍ଲାରେ ଧାରଣା ଦେଇଥିଲେ ତାଙ୍କ ପୁଅ ନାରା ଲୋକେଶ । ବାପାଙ୍କ ସହ ସାକ୍ଷାତ କରିବାକୁ ପୋଲିସ ଛାଡୁ ନଥିବା ଅଭିଯୋଗରେ ଧାରଣା ଦେବା ବେଳେ ନାରା ଲୋକେଶଙ୍କୁ ପୋଲିସ ହେପାଜତରେ ନେଇଛି ।

ଏହି ଦୁର୍ନୀତି ମାମଲାରେ ସିଆଇଡି ଚନ୍ଦ୍ରବାବୁ ନାଇଡୁଙ୍କ ନାଁ ଡିସେମ୍ବର ୨୦୨୧ରେ ଏଫଆଇଆର ରୁଜୁ କରିଥିଲା । କେବଳ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନୁହେଁ ଅନ୍ୟ ୨୫ଜଣଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ସେପଟେ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫ ପରେ ଟିଡିପି ନେତା ରାଜରାସ୍ତାରେ ପ୍ରତିବାଦ କରିଛନ୍ତି ।