ବାଲେଶ୍ବର ଶୋଭାରାମପୁର ଗୁଳିକାଣ୍ଡ ଘଟଣାରେ ୧୦ ଗିରଫ
ବାଲେଶ୍ବର (ସଂକେତ୍ ଟିଭି) : ବାଲେଶ୍ବର ସହର ଶୋଭାରାମପୁରରେ ଗତକାଲି ହୋଇଥିବା ଗୁଳିକାଣ୍ଡ ଘଟଣାର ମୂଖ୍ୟ ଅଭିଯୁକ୍ତ ସମେତ ଦଶ ଜଣଙ୍କୁ ପୋଲିସ ଗିରଫ କରିଛି । ଗ୍ୟାଙ୍ଗର ଲିଡରସିପକୁ ନେଇ ଆରମ୍ଭ ହୋଇଥିଲା ଯୁକ୍ତି ତର୍କ । କିଏ ହେବ ଗ୍ୟାଙ୍ଗର ହେଡ୍, କାହା ନିର୍ଦେଶରେ ଆଦାୟ ହେବ ଦାଦା ବଟି । ନିଷ୍ପତ୍ତି ହୋଇ ପାରିଲା ନାହିଁ , ପାଟି ତୁଣ୍ଡ ବଡିଲା । ଶେଷରେ ଉତକ୍ଷିପ୍ତ ହୋଇ ଲିପୁ ଓରଫ ମନୋରଂଜନ ବିନ୍ଧାଣୀ ବଂଧୁକରୁ ଗୋଟିଏ ରାଉଣ୍ଡ ଗୁଳି ବିନୟ କୁମାର ବିହାରୀଙ୍କ ଛାତିକୁ ମାରିଥିଲେ ।
ତେବେ ଗୁଳିଟି ବିନୋଦ ଛାତିରେ ନବାଜି ତା ଡାହାଣ କାନ୍ଧରେ ବାଜିଥିଲା । ତାକୁ ତୁରନ୍ତ ବାଲେଶ୍ବର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା , ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ଏସସିବି ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗୁଳିକାଣ୍ଡକୁ ଚବିଶ ଘଂଟା ନପୁରୁଣୁ ବାଲେଶ୍ବର ସହଦେବଖୁଂଟା ଥାନା ପୋଲିସ ମୂଖ୍ୟ ଅଭିଯୁକ୍ତ ଲିପୁ ସମେତ ତାଙ୍କ ଗ୍ୟାଙ୍ଗର ଦଶ ଜଣଙ୍କୁ ଗିରଫ କରିଛି । ଗୁଳିକାଣ୍ଡରେ ବ୍ୟବହୃତ ବଂଧୁକ ସମେତ ଗୋଟିଏ ତେଲେଙ୍ଗା କଟୁରି, ଗୋଟିଏ ଗୁପ୍ତି, ତିନିଟି ମୋଟର ସାଇକେଲ, ଦଶଟି ମୋବାଇଲ ଫୋନ୍ ପୋଲିସ ଜବତ କରିଛି । ବାଲେଶ୍ବର ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଷଯରେ ସୂଚନା ଦେଇଛନ୍ତି ।
