ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ

ଭୁବନେଶ୍ବର (ସଂକେତ୍ ଟିଭି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ ଘଟିଛି । ଶନିବାର ଦିନ ଦିଲ୍ଲୀ ଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଝିଅ ଗୀତା ମେହେଟ୍ଟା ଜଣେ ବିଶିଷ୍ଟ ଲେଖକ, ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା ତଥା ସାମ୍ବାଦିକ ଥିଲେ । ଲେଖିକା ଗୀତା ମେହେଟ୍ଟା ଜଣାଶୁଣା ଆମେରିକୀୟ ପ୍ରକାଶକ ସନ୍ନି ମେହେଟ୍ଟାଙ୍କୁ ବିବାହ କରିଥିଲେ। ଗତ ୩ ବର୍ଷ ତଳେ ତାଙ୍କ ସ୍ୱାମୀ ସୋନୀ ମେହେତାଙ୍କର ପରଲୋକ ହୋଇଥିଲା। ସ୍ୱାମୀ ସୋନୀଙ୍କ ବିୟୋଗ ପରେ ଗୀତା ଆମେରିକା ଛାଡ଼ି ଦିଲ୍ଲୀ ଚାଲିଆସିଥିଲେ।

ଗୀତାଙ୍କ ପରଲୋକ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ନେଇ ସୂଚନା ମିଳିଛି। ଆସନ୍ତାକାଲି ସକାଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବେ ବୋଲି ସୂଚନା ମିଳିଛି।

୧୯୪୩ରେ ଦିଲ୍ଲୀରେ ଜନ୍ମ ହୋଇଥିବା ଗୀତା ଏକାଧାରରେ ଜଣେ ଲେଖିକା, ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ଓ ସାମ୍ବାଦିକା ଥିଲେ। ଗୀତା ଭାରତ ସମେତ ବ୍ରିଟେନ୍‌ର କେମ୍ବ୍ରିଜ୍ ୟୁନିଭର୍ସିଟିରେ ପାଠ ପଢ଼ିଥିଲେ। ସେ ଲେଖିବା ଭାବରେ ପ୍ରତିଷ୍ଠା ଅର୍ଜନ କରିଥିବା ବେଳେ ୟୁକେ, ୟୁରୋପିୟନ ଓ ଆମେରିକା ନେଟ୍‌ୱାର୍କ ପାଇଁ ୧୪ଟି ଟିଭି ଡକ୍ୟୁମେଣ୍ଟାରି ପ୍ରଯୋଜନା ଓ ନିର୍ଦ୍ଦେଶନା ଦେଇଛନ୍ତି। ଗୀତାଙ୍କର ଲିଖିତ ତିନୋଟି ପୁସ୍ତକ ହେଲା କର୍ମ କୋଲା, ସ୍ନେକ ଆଣ୍ଡ ଲାଡର୍ସ, ଏ ରିଭର ସୁତ୍ର, ରାଜ ଏବଂ ଦ ଇଟର୍ଣ୍ଣାଲ୍ ଗଣେଷ।

୧୯୭୦ ରୁ ୧୯୭୨ ମଧ୍ୟରେ ସେ ଆମେରିକାର ଏନ୍‌ବିସି ଟିଭି ପାଇଁ ସାମ୍ବାଦିକା ଭାବେ କାର୍ଯ୍ୟ କରିଥିଲେ। ବାଂଲାଦେଶ କ୍ରାନ୍ତି ଉପରେ ତାଙ୍କର ଫିଲ୍ମ ସଂକଳନ , ;ଡେଟ୍ ଲାଇନ୍‌ ବାଂଲାଦେଶ ଉଭୟ ଭାରତ ଓ ବିଦେଶ ସିନେମା ହଲ୍‌ରେ ରିଲିଜ୍ ହୋଇଥିଲା। ୧୯୬୫ରେ ଗୀତା ସୋନୀ ମେହେତାଙ୍କୁ ବିବାହ କରିଥିଲେ। ସୋନୀଙ୍କର ଆମେରିକାରେ ଅଲ୍‌ଫ୍ରେଡ୍‌ ଏ. କନୋଫ୍‌ ନାମକ ଏକ ପ୍ରକାଶକ ସଂସ୍ଥା ଥିଲା। ଗୀତାଙ୍କର ଗୋଟିଏ ପୁଅ ଆଦିତ୍ୟ ସିଂହ ମେହେଟ୍ଟା ରହିଛନ୍ତି।