FeaturedGeneralLatest

ମଣିପୁର ପରେ ହରିୟାଣାରେ ଭୟଙ୍କର ରୂପ ନେଲା ସାମ୍ପ୍ରଦାୟିକ ହିଂସା

ନୂଆଦିଲ୍ଲୀ (ସଂକେତ ଟିଭି) ହରିୟାଣାର ନୁହରେ ଆରମ୍ଭ ହୋଇଥିବା ସାମ୍ପ୍ରଦାୟିକ ହିଂସା ଏବେ ଗୁରୁଗ୍ରାମରେ ଭୟଙ୍କର ରୂପ ନେଇଛି । ଉପଦ୍ରବୀମାନେ ଦୋକାନ ବଜାର, ଗାଡିମୋଟର ପୋଡାଜଳା ଭଙ୍ଗାରୁଜା କରୁଛନ୍ତି । ମଙ୍ଗଳବାର ଦିନ ଶତାଧିକ ଉପଦ୍ରବୀ ଗୁରୁଗ୍ରାମର ବାଦଶାହପୁର ଅଞ୍ଚଳରେ ପଶି ଆତଙ୍କ ଖେଳାଇଛନ୍ତି । ମାଂସ ଦୋକାନ, କବାଡି ଦୋକାନ ସମେତ କିଛି ଛୋଟ ଛୋଟ ରେସ୍ତୋରାଁ ଗୁଡିକରେ ନିଆଁ ଲଗାଇ ଦେଇଛନ୍ତି । ତେବେ ଏଥିରେ କାହାର ମୃତ୍ୟୁ ହୋଇନଥିବା ସୂଚନା ମିଳିଛି ।

ଏହାପୂର୍ବରୁ ସୋମବାର ଗୁରୁଗ୍ରାମରେ ଏକ ମସଜିଦ ଉପରେ ଆକ୍ରମଣ ହୋଇଥିଲା ଏବଂ ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିଲା । ମଙ୍ଗଳବାର ଦିନ ବାଦଶାହପୁର ଅଞ୍ଚଳରେ ଶତାଧିକ ଲୋକେ ଏକାଠି ହୋଇ ୪ଟି ରେସ୍ତୋରାଁ, କବାଡି ଦୋକାନ, ଫର୍ଣ୍ଣିଚର ମରାମତି ଦୋକାନରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ । ୨୦୦ରୁ ଅଧିକ ଉପଦ୍ରବୀ ହାତରେ ପେଟ୍ରୋଲ ବୋତଲ ଧରି ଅନେକ ଗାଡି ଜାଳି ଦେଇଥିଲେ । ଏହାସହିତ ସ୍ଥାନୀୟ ଅଞ୍ଚଳରେ ୨୫ରୁ ୩୦ଟି ଝୁମ୍ପୁଡି ଘରେ ନିଆଁ ଲଗାଇ ଦେଇଥିବାର ମଧ୍ୟ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଏହି ହିଂସାରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ନୁହ ଜିଲ୍ଲାର ଗୁରୁଗ୍ରାମରେ ହିଂସା ବ୍ୟାପିବା ପରେ ଗତକାଲି ସକାଳେ ସେକ୍ଟର ୫୭ର ଜଣେ ୨୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏସିପି ବରୁଣ ଦହିୟା କହିଛନ୍ତି, ଗୁରୁଗ୍ରାମରେ ହିଂସା ପରେ ସହରର ପ୍ରମୁଖ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । କୌଣସି ସ୍ଥାନରେ ହିଂସା ହେଲେ ଲୋକମାନେ ୧୧୨ ନମ୍ବର ଡାଏଲ କରି ଗୁରୁଗ୍ରାମ ପୋଲିସକୁ ଜଣାଇ ପାରିବେ ।

ନୁହରେ ବିଶ୍ବ ହିନ୍ଦୁ ପରିଷଦର ଧାର୍ମିକ ଶୋଭାଯାତ୍ରା ବେଳେ ଏହି ହିଂସାର ସୂତ୍ରପାତ ହୋଇଥିଲା । ଶୋଭାଯାତ୍ରା ବେଳେ ପଥରମାଡ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହି ହିଂସା ନିମିଷକରେ ବିସ୍ଫୋରକ ରୂପ ନେଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଚେଷ୍ଟା କରୁଥିବା ବେଳେ ଗୁଳିମାଡରେ ୨ ଜଣ ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିଲା ଓ ଏକାଧିକ ଲୋକେ ଆହତ ହୋଇଥିଲେ । ଏହାପରେ ସାରା ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇ କର୍ଫ୍ୟୁ ଲାଗି କରାଯାଇଛି ।