CrimeFeaturedLatestNews

୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବିଦ୍ୟୁତ ଖୁଣ୍ଟ ଚୋରି ଘଟଣାରେ ୮ ଗିରଫ

ବାରିପଦା (ସଂକେତ ଟିଭି) ବହୁ ଚର୍ଚ୍ଚିତ ଦୁଇ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ମୂଲ୍ୟର ୩୩/୧୧କେଭି ବିଦ୍ୟୁତ ଖୁଣ୍ଟ ଚୋରି ଘଟଣାରେ ଯଶିପୁର ପୁଲିସ ୮ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ସହିତ ଏକ ମିନିଟ୍ରକ, କଟର ମେସିନ ଓ ଚୋରି ବିଦ୍ୟୁତ ଖୁଣ୍ଟ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଧୀନ ଡୁବୁରୀର ଗୋପୀନାଥ ସେଠୀ(୨୨), ତପନ ଦାସ(୩୫), ଦୀପକ ବେରା(୨୮), ବରଗଡିଆ ଗ୍ରାମର ସୁଶାନ୍ତ ମଲ୍ଲିକ(୨୧), ତହରପୁରର କାହ୍ନୁ ଚରଣ ସେଠୀ(୨୮), ଦାନଗଦିରେ ରହୁଥିବା ମହାରାଷ୍ଟ୍ରର ବାଲସ୍ବାମୀ ଅଙ୍ଗାଡି(୪୭), ଭଦ୍ରକ ବାସୁଦେବପୁର ଥାନା ଅଧୀନ ସବରପୁରର ସଲାମତ ଖାନ୍(୨୫) ଓ ବାଦାମପାହାଡ ଥାନା ଅଧୀନ ବାସିଳା ଗ୍ରାମର ଲକ୍ଷ୍ମଣ ହାଁସଦାଃ(୩୬)।

ଚୋରମାନେ ସୋମବାର ରାତିରେ ଯଶିପୁର ଥାନା ଇଲାକାରୁ ୬ଟି ବିଦ୍ୟୁତ ଖୁଣ୍ଟ କାଟି ଓଡି୦୪ଟି ୧୧୯୬ ମିନିଟ୍ରକ ଯୋଗେ ଯାଜପୁର ରୋଡ ନେଉଥିବା ବେଳେ ପୁଲିସ ହାତରେ ଧରାପଡିଥିଲେ। ଟ୍ରକରେ ଥିବା ୪ଜଣଙ୍କୁ ଥାନାକୁ ଆଣି ପଚରାଉଚରା ଉଚରା କରିବା ପରେ ପୁରା ଗ୍ୟାଙ୍ଗ ଧରାପଡିଥିଲେ। ଏମାନେ ଯଶିପୁର ସମେତ, ରରୁଆଁ, ଠାକୁରମୁଣ୍ଡା, ମହୁଲଡିହା ଓ କେନ୍ଦୁଝରର ପାଟଣା ଥାନା ଅଞ୍ଚଳରୁ କୋଟି କୋଟି ଟଙ୍କାର ବିଦ୍ୟୁତ ଖୁଣ୍ଟ କାଟି ଚୋରି କରିଥିବା ଅଭିଯୋଗ ଥିଲା। ବିଦ୍ୟୁତ ଖୁଣ୍ଟ ଗୁଡିକ ଟ୍ରକ ବଡି ନିର୍ମାଣ ପାଇଁ ଯାଜପୁର ରୋଡ ଗ୍ୟାରେଜରେ ବିକ୍ରି କରିଥାନ୍ତି।

ମୟୂରଭଞ୍ଜ ଜିଲ୍ଲାରେ ସମ୍ପ୍ରତି ୩୩/୧୧କେଭି ଗ୍ରୀଡ ପ୍ରତିଷ୍ଠା ପାଇଁ କେନ୍ଦୁଜିଆଣୀ ଓ ଗୋଧିବସା ଠାରେ ନିର୍ମାଣାଧୀନ ପ୍ରକଳ୍ପରୁ ଚୋରମାନେ ୨କୋଟିରୁ ଉର୍ଦ୍ଧ୍ଵ ଟଙ୍କା ମୂଲ୍ୟର ୭୬ଟି ଏଭଳି ବିଦ୍ୟୁତଖୁଣ୍ଟ(ପ୍ରତିଟିର ମୂଲ୍ୟ ୩୪ହଜାର ଟଙ୍କା) କାଟି ଚୋରିକରିନେଇଛନ୍ତି। ନିର୍ମାଣ କାରୀ ସଂସ୍ଥା ପକ୍ଷରୁ ସହକାରୀ ପରିଚାଳକ ପୂର୍ବରୁ ଠାକୁରମୁଣ୍ଡା ଓ ଯଶିପୁର ଥାନାରେ ଅଭିଯୋଗ କରିବା ସହିତ ଏସପି ଓ ଜିଲ୍ଲାପାଳଙ୍କୁ ଭେଟି ଜଣାଇଥିଲେ।