ଜ୍ଞାନବ୍ୟାପୀ ମସଜିଦ ମାମଲା : ପ୍ରତ୍ନତାତ୍ତ୍ବିକ ସର୍ଭେ ପାଇଁ ଅନୁମତି ଦେଲେ ହାଇକୋର୍ଟ
ଲକ୍ଷ୍ନୌ (ସଂକେତ ଟିଭି) : ଆହ୍ଲାବାଦ ହାଇକୋର୍ଟ ବହୁଚର୍ଚ୍ଚିତ ବାରାଣାସୀର ଜ୍ଞାନବ୍ୟାପୀ ମସଜିଦ ମାମଲାରେ ଅଞ୍ଜୁମନ ଇନ୍ତେଜାମିଆ କମିଟିର ଆବେଦନକୁ ଖାରଜ କରି ମସଜିଦ ପରିସରରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗ (ASI) ଦ୍ବାରା ସର୍ଭେ ପାଇଁ ଅନୁମତି ଦେଇଛନ୍ତି । ଆହ୍ଲାବାଦ ହାଇକୋର୍ଟ ବାରଣାସୀ ଜିଲ୍ଲା କୋର୍ଟଙ୍କ ରାୟ କାଏମ ରଖିଛନ୍ତି ।
କୋର୍ଟ କହିଛନ୍ତି ଯେ, ଏଏସଆଇ ସର୍ଭେ କରାଯିବା ଜରୁରୀ । କିଛି ସର୍ତ୍ତ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି । ଏହାପୂର୍ବରୁ ଜୁଲାଇ ୨୧ରେ ଜିଲ୍ଲା କୋର୍ଟ ସର୍ବେକ୍ଷଣ ପାଇଁ ଅନୁମତି ଦେଇଥିଲେ । ବାରଣାସୀ କୋର୍ଟଙ୍କ ଅନୁମତି ପରେ ଜୁଲାଇ ୨୪ ତାରିଖ ସକାଳେ ଏଏସଆଇ ଟିମ୍ ଜ୍ଞାନବ୍ୟାପୀ ମସଜିଦରେ ପହଞ୍ଚି ସାଇଣ୍ଟିଫିକ ସର୍ଭେ ଆରମ୍ଭ କରିଥିଲେ । ଏଥିରେ ପ୍ରାୟ ୪୦ ଜଣିଆ ଟିମ୍ ସାମିଲ ହୋଇଥିଲେ । ମନ୍ଦିର ଉପରେ ଏହି ମସଜିଦ ନିର୍ମାଣ ହୋଇଛି କି ନାହିଁ ତାହା ଜାଣିବାକୁ ସର୍ଭେ କରାଯାଇଥିଲା ଏବଂ ଅଗଷ୍ଟ ୪ରେ ବାରଣାସୀ କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କରିବାର ଥିଲା ।
ହେଲେ ଏହି ସର୍ଭେ ହେବା ଫଳରେ ମସଜିଦ କମ୍ପ୍ଲେକ୍ସ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ମୁସଲିମ ପକ୍ଷ । ଏହାପରେ ସର୍ବୋଚ୍ଚ ଅଲଦାତ ଜୁଲାଇ ୨୪ ତାରିଖରେ (ସର୍ଭେ ଆରମ୍ଭ ଦିନ) ଏଏସଆଇ ସର୍ଭେ ଉପରେ ୨୬ ତାରିଖ ସନ୍ଧ୍ୟା ଯାଏଁ ରୋକ୍ ଲଗାଇବା ସହ ଆହ୍ଲାବାଦ ହାଇକୋର୍ଟଙ୍କୁ ମାମଲାର ଶୁଣାଣି ପାଇଁ କହିଥିଲେ । ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଅଗଷ୍ଟ ୩କୁ ରାୟ ସଂରକ୍ଷିତ ରଖିଥିଲେ । ଚୂଡାନ୍ତ ରାୟ ନ ଆସିବା ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ନ କରିବାକୁ ମୁଖ୍ୟ ବିଚାରପତି ପ୍ରୀତିଙ୍କର ଦିବାକର ନିର୍ଦ୍ଦେଶ ଦେଇଥିଲେ ।
ତେବେ ଆଜି ଦେଇଥିବା ହାଇକୋର୍ଟଙ୍କ ରାୟ ବିରୋଧରେ ମୁସଲିମ ପକ୍ଷ ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇପାରେ । ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ଚନ୍ଦ୍ର ମୌର୍ଯ୍ୟ କହିଛନ୍ତି, ମୁଁ ହାଇକୋର୍ଟଙ୍କ ରାୟକୁ ସ୍ବାଗତ କରୁଛି । ମୋର ବିଶ୍ବାସ ଏଏସଆଇ ସର୍ବେକ୍ଷଣ ପରେ ସତ ସାମ୍ନାକୁ ଆସିବ ଏବଂ ଏହି ବିବାଦର ଅନ୍ତ ଘଟିବ ।