FeaturedGeneralLatestPolitics

ମୋଦୀ ସାଙ୍ଗିଆ ମାନହାନୀ ମାମଲା: ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ (ସଂକେତ ଟିଭି) ମୋଦି ସାଙ୍ଗିଆ ଅପରାଧିକ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ମାମଲାର ଚୂଡାନ୍ତ ଶୁଣାଣି ନ ହେବା ଯାଏଁ ଦଣ୍ଡାଦେଶ ଉପରେ ରୋକ୍ ଲାଗିବ ବୋଲି କୋର୍ଟ କହିଛନ୍ତି । ୪ ବର୍ଷ ତଳର ଏହି ମାନହାନୀ ମାମଲାରେ ସୁରତ ସେସନ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ସଜ୍ଜା ଶୁଣାଇଥିଲେ । ଗୁଜୁରାଟ ହାଇକୋର୍ଟ ତଳ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ । ଯାହାଫଳରେ ରାହୁଲଙ୍କ ଲୋକସଭା ସଦସ୍ୟତା ଫେରି ପାଇବାର ଆଶା ମଉଳି ଯାଇଥିଲା । ପରବର୍ତ୍ତୀ ଶୁଣାଣିରେ ଚୂଡାନ୍ତ ରାୟ ଆସିବ ।

ବିଚାରପତି ବି.ଆର୍‌. ଗୱାଇ, ପି. ଏସ୍‌. ନରସିଂହ ଓ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବା ପାଇଁ ରାହୁଲ୍‌ ଗାନ୍ଧୀ କରିଥିବା ଆବେଦନର ଶୁଣାଣି କରୁଥିଲେ। ରାୟ ଶୁଣାଇ ସୁପ୍ରିମ୍‌ କୋର୍ଟ କହିଛନ୍ତି, ଏହି ମାମଲାରେ ‘ଟ୍ରାଏଲ୍‌ ଜଜ୍‌’ ସର୍ବାଧିକ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି, କିନ୍ତୁ ଦଣ୍ଡାଦେଶ ଗୋଟିଏ ଦିନ କମ୍‌ ହୋଇଥିଲେ ସେ ଅଯୋଗ୍ୟ ଘୋଷିତ ହୋଇ ନ ଥାନ୍ତେ। କିନ୍ତୁ, ‘ଟ୍ରାଏଲ୍‌ ଜଜ୍‌’ ସର୍ବାଧିକ ଦଣ୍ଡାଦେଶ ଦିଆଯିବାର କାରଣ ଦର୍ଶାଇ ନାହାନ୍ତି। ତେଣୁ, ଚୂଡ଼ାନ୍ତ ବିଚାର ହେବା ପର୍ଯ୍ୟନ୍ତ ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଜାରି ରହିଲା।

ସୁପ୍ରିମ୍‌ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଏକଥା ନିଃସନ୍ଦେହ ଯେ, ଆବେଦନକାରୀ ଦେଇଥିବା ଟିପ୍ପଣୀ ରୁଚିକର ନୁହେଁ। ଭାଷଣ ଦେବା ବେଳେ ଆବେଦନକାରୀ ଅଧିକ ସାବଧାନତା ଅବଲମ୍ବନ କରିବା ଉଚିତ।

କିନ୍ତୁ, ଅଯୋଗ୍ୟତାର ପରିଣାମ କେବଳ ବ୍ୟକ୍ତି ଅଧିକାରକୁ ପ୍ରଭାବିତ କରୁନାହିଁ ଭୋଟର୍‌ମାନଙ୍କୁ ବି ପ୍ରଭାବିତ କରୁଛି ବୋଲି ସୁପ୍ରିମ୍‌ କ‌ୋର୍ଟ କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୯ ଏପ୍ରିଲ ୧୩ ତାରିଖରେ କର୍ଣ୍ଣାଟକରେ ଏକ ରାଲିକୁ ସମ୍ବୋଧନ କରିବା ସମୟରେ ରାହୁଲ ଗାନ୍ଧୀ ମୋଦି ସାଙ୍ଗିଆ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ‘ସବୁ ମୋଦି ସାଙ୍ଗିଆଧାରୀ ଚୋର କି’ ବୋଲି କହିଥିଲେ ରାହୁଲ । ଏହାକୁ ନେଇ ବିଜେପି ବିଧାୟକ ତଥା ଗୁରୁରାଟର ତତ୍କାଳୀନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ମାମଲା ଦାୟର କରିଥିଲେ । ଏନେଇ କଂଗ୍ରେସ ନେତାଙ୍କ ବିରୋଧରେ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା ।

ଚଳିତ ବର୍ଷ ମାର୍ଚ୍ଚ ୨୩ ତାରିଖରେ ସୁରଟ ଜିଲ୍ଲା କୋର୍ଟ ଏହି ମୋଦି ସାଙ୍ଗିଆ ମାନହାନୀ ମାମଲାର ଶୁଣାଣି କରି ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ରାୟ ଶୁଣାଇଥିବା ବେଳେ ଏହାର କିଛି ସମୟ ପରେ ରାହୁଲଙ୍କୁ ଜାମିନ ମିଳିଥିଲା । କିନ୍ତୁ ଦଣ୍ଡାଦେଶ ଯୋଗୁଁ ତାଙ୍କର ସାଂସଦ ପଦ ରବ୍ଦ ହୋଇଯାଇଥିଲା । ତଳ କୋର୍ଟ ରାୟ ବିରୋଧରେ ରାହୁଲ ଗୁଜୁରାଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାତ୍ର ହାଇକୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରି ତଳ କୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ । ପରେ ଉଚ୍ଚ ଅଦାଲତଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କଂଗ୍ରେସ ନେତା । ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ରାହୁଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ମାନହାନୀ ମାମଲାରେ କ୍ଷମା ମାଗିବେ ନାହିଁ ବୋଲି କୋର୍ଟରେ କହିଥିଲେ ରାହୁଲ । ଗତ ୨୧ ତାରିଖରେ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦଲାତ ଗୁଜୁରାଟ ସରକାରଙ୍କ ସମେତ ଆବେଦନକାରୀ ପୂର୍ଣ୍ଣେଶ ମୋଦିଙ୍କୁ ନୋଟିସ ଜାରି କରିଥିଲେ ।