ଛାତ ଉପରୁ ମିଳିଲା ବୋହୂର ଅର୍ଦ୍ଧଦଗ୍ଧ ମୃତଦେହ, ଶାଶୁକୁ ନିସ୍ତୁକ ପିଟିଲେ ଲୋକେ
ବାଲେଶ୍ବର (ସଂକେତ ଟିଭି) ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦେହୁର୍ଦା ପଞ୍ଚାୟତର ଜୟନଗର ଗାଁରେ ଘର ଛାତ ଉପରୁ ମହିଳାଙ୍କ ଅଧାପୋଡ଼ା ମୃତଦେହ ଠାବ ହୋଇଛି । ଗ୍ରାମର ଭଗୀରଥ ପରିଡାଙ୍କ ସ୍ତ୍ରୀ ମିଲି ପରିଡ଼ାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ନିଜ ଘରର ଛାତ ଉପରେ ପଡିଥିବା ଦେଖିବାକୁ ମିଳିଛି । ତେବେ ଶାଶୁ, ଶ୍ୱଶୁର ଓ ସ୍ୱାମୀ ମିଲିଙ୍କୁ ଯୌତୁକ ପାଇଁ ହତ୍ୟା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ମୃତ ମହିଳାଙ୍କ ସ୍ୱାମୀ ଭାଗିରଥ ପରିଡ଼ା ବିଦେଶରେ ରହି କାମ କରନ୍ତି । ଶ୍ୱଶୁର ଦିନ ମଜୁରିଆ ଭାବେ ଗାଁରେ କାମ କରନ୍ତି । କିନ୍ତୁ ଗତ କିଛିଦିନ ହେଲା ପାରିବାରିକ କଳହକୁ ନେଇ ଘରେ ଗଣ୍ଡଗୋଳ ହୋଇଥିଲା । ଯାହାର ସମାଧାନ ହୋଇପାରିନାହିଁ । ଶେଷରେ ଶନିବାର ଦିନ ସକାଳ ସମୟରେ ଘରର ଛାତ ଉପରେ ମହିଳାଙ୍କ ଅଧାପୋଡ଼ା ମୃତଦେହ ପଡିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି ।
ସେପଟେ ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ପାରିବାରିକ କଳହ ଲାଗି ମୃତ୍ୟୁ ହୋଇଛି । ସ୍ୱାମୀ ଓ ଶାଶୁ ମିଳିମିଶି ଦୁଇଟି ସନ୍ତାନର ମାଙ୍କୁ ମାରିଦେଇଛନ୍ତି । ସମୟ ସମୟରେ ଶାଶୁ ଘର ଲୋକେ ଅଧିକ ଯୌତୁକ ପାଇଁ ଦାବି କରିଥିଲେ । ଆମକୁ ନ୍ୟାୟ ଦରକାର ।
ଘଟଣାସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଘର ଭିତରକୁ ଯିବାକୁ ଅନୁମତି ନଦେବାରୁ ପୋଲିସ ଓ ମହିଳାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଜଣାପଡିଛି । ଉତ୍ତ୍ଯକ୍ତ ମହିଳାମାନେ ଗେଟ୍ ଭାଙ୍ଗି ଘର ଭିତରକୁ ପଶି ପୋଲିସକୁ ମାଡ ମାରିବା ସହିତ ମୃତ ମହିଳାଙ୍କ ଶାଶୁଙ୍କୁ ନିସ୍ତୁକ ମାଡ ମାରିଛନ୍ତି ।