FeaturedGeneralLatest

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୩ ବର୍ଷ ଜେଲ

ଇସଲାମବାଦ (ସଂକେତ ଟିଭି) ତୋଷାଖାନା ମାମଲାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପାକିସ୍ତାନର ଏକ ଟ୍ରାଏଲ କୋର୍ଟ ଇମ୍ରାନଙ୍କୁ ତୋଷାଖାନା ମାମଲାରେ ୩ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି । ଜେଲ୍ ସହ ୧ ଲକ୍ଷ ଟଙ୍କାର ଜରିମାନା ନିର୍ଦ୍ଦେଶ ମଧ୍ୟ ମିଳିଛି । କୋର୍ଟଙ୍କ ରାୟ ପରେ ଇମ୍ରାନ ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢି ପାରିବେ ନାହିଁ । ଆଗାମୀ ୫ ବର୍ଷ ଯାଏଁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ଉପରେ କୋର୍ଟ ରୋକ୍ ଲଗାଇଛନ୍ତି ।

ଟ୍ରାଏଲ କୋର୍ଟ ବିଚାରପତି ହୁମାୟୁନ ଦିଲାୱର ଶୁଣାଣି ବେଳେ କହିଛନ୍ତି ଯେ, ତୋଷାଖାନା ଦୁର୍ନୀତି ମାମଲାରେ ଇମ୍ରାନ ଖାନଙ୍କ ବିରୋଧରେ ଦାଖଲ ଚାର୍ଜସିଟ୍ ପ୍ରମାଣିତ ହୋଇଛି । ସେ ପାକିସ୍ତାନ ନିର୍ବାଚନ କମିଶନଙ୍କ ନିକଟରେ ମିଥ୍ୟା ତଥ୍ୟ ଦାଖଲ କରିଥିଲେ । ଦୁର୍ନୀତି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଇମ୍ରାନ ଖାନକୁ ୩ ବର୍ଷ ଜେଲ ଦଣ୍ଡ ସହ ୧ ଲକ୍ଷ ଜରିମାନା ଦଣ୍ଡ ମିଳିଛି । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ।

ଏହି ରାୟ ପ୍ରକାଶ ପରେ ତାଙ୍କୁ ଶନିବାର ଅପରାହ୍ଣରେ ଲାହୋର ସ୍ଥିତ ନିଜ ବାସଭବନ ଜମାନ ପାର୍କରୁ ଗିରଫ କରାଯାଇଛି । ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଜେଲଦଣ୍ଡ ନେଇ ପାକିସ୍ତାନରେ ବଢିଛି ରାଜନୈତିକ ତାତି । ଇମ୍ରାନଙ୍କ ବାସଭବନ ବାହାରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ଜମାନ ପାର୍କ ରୋଡରେ ଯାତାୟତ ବନ୍ଦ କରିଦିଆଯାଇଛି । ସମସ୍ତ ସଭା ଓ ପ୍ରଦର୍ଶନକୁ ବାରଣ କରାଯାଇଛି ।

ଇମ୍ରାନ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ସମୟରେ ବିଦେଶୀ ପ୍ରତିପକ୍ଷଠାରୁ ପାଇଥିବା ଦାମୀ ଉପହାର ବେଆଇନ ଭାବେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା । ତାଙ୍କର ସହାୟକମାନେ ଦୁବାଇରେ ଉପହାରଗୁଡିକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ପିଟିଆଇ ନେତା ଦୋଷୀ ସାବ୍ୟସ୍ତ ହୋଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୮ରେ ଇମ୍ରାନ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ । ୨୦୨୨ରେ ରାଜନୈତିକ ଅସ୍ଥିରତା ମଧ୍ୟରେ ସେ ପ୍ରଧାନମନ୍ତ୍ରୀ ପଦ ହରାଇବାକୁ ବାଧ୍ୟ ହୋଇଥିଲେ । କ୍ଷମତାରୁ ହଟିବା ପରେ ତାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଥିଲା ।