ଛତୁଆ ବିଲ୍ ପାସ୍ ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ସିଡିପିଓ
ଝାରସୁଗୁଡା (ସଂକେତ ଟିଭି) ଛତୁଆ ବିଲ୍ ପାସ୍ କରିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଝାରସୁଗୁଡା ସିଡିପିଓ (ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ) ସରୋଜିନି ଏକ୍କା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଗତ ଚାରି ମାସର ଛତୁଆ ବିଲ୍ ପାସ୍ କରି ଦେବା ପାଇଁ ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତିଙ୍କ ଠାରୁ ସେ ଏହି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।
ସୂଚନା ଅନୁସାରେ, ଝାରସୁଗୁଡା ଜିଲ୍ଲାର ଏକ ସ୍ୱୟଂ ସହାୟକ ଗୋଷ୍ଠୀର ୪ ମାସର ଛତୁଆ ବିଲ ରିଲିଜ କରିବା ପାଇଁ ସିଡିପିଓ ୪୦ ହଜାର ଲାଞ୍ଚ ମାଗିଥିଲେ। ଏନେଇ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଭିଜିଲାନ୍ସକୁ ଜଣାଯାଇଥିଲା। ଆଜି ଉକ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତିଙ୍କଠାରୁ ସିଡିପିଓ ସରୋଜିନ ଏକ୍କା ୪୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଭିଜିଲାନ୍ସ ଅଧିକାରୀମାନେ ସିଡିପିଓ ସରୋଜିନୀ ଏକ୍କାଙ୍କ ଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛନ୍ତି। ସରୋଜିନୀ ଏକ୍କା ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରାଯାଇଛି ।ଏହି ମାମଲାରେ ରାଉରକେଲା ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇଛି।