ବିଦ୍ୟୁତ୍ ବିଲ ଅଧିକ ଆସୁଥିବାରୁ ମିଟର ରିଡରଙ୍କୁ ନିର୍ମମ ହତ୍ୟା
ବ୍ରହ୍ମପୁର (ସଂକେତ ଟିଭି) ବିଦ୍ୟୁତ୍ ବିଲ ଅଧିକ ଆସୁଥିବାରୁ ଗାଁ ଦାଣ୍ଡରେ ମିଟର ରିଡର କର୍ମଚାରୀଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ଗଞ୍ଜାମ ଜିଲ୍ଲା ତାରାସିଙ୍ଗ ଥାନା ଅନ୍ତର୍ଗତ କୁପାଟି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଗାଲେରୀ ଗ୍ରାମର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ଦୀର୍ଘବର୍ଷ ଧରି ମିଟର ରିଡର ଭାବରେ କାର୍ଯ୍ୟ କରି ଆସୁଥିଲେ ମୃତ ଲକ୍ଷ୍ମୀ ନାରାୟଣ । ସେ ଆଜି ସକାଳୁ କୂପାଟି ଗାଁକୁ ସେ ମିଟର ରିଡିଂ ଆଣିବା ପାଇଁ ଯାଇଥିଲେ । ଏହି ସମୟରେ କିଛି ଉପଭୋକ୍ତା ଅତର୍କିତ ଭାବେ ଲକ୍ଷ୍ମୀ ନାରାୟଣଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଟର ରିଡର କର୍ମଚାରୀଙ୍କ ମୃତଦେହ ଜଣେ ଉପଭୋକ୍ତାଙ୍କ ଘର ବାହାରେ ପଡିରହିଥିଲା । ଖବର ପାଇ ତାରାସିଂଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ ପ୍ରକ୍ରିୟା ଜାରି ରଖିଛି ।
ଏହି ହତ୍ୟା ଘଟଣାକୁ ନେଇ ମିଟର ରିଡର କର୍ମଚାରୀ ସଂଘର କର୍ମକର୍ତ୍ତା ଏବଂ ମୃତ କର୍ମଚାରୀଙ୍କ ପରିବାର ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ପୋଲିସର ତଦନ୍ତ ପରେ ହତ୍ୟା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ । ତେବେ କେଉଁ କାରଣକୁ ନେଇ ଗାଁ ମଝିରେ ମିଟର ରିଡରଙ୍କୁ ହତ୍ୟା କରାଯାଇଛି ସେ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ପୋଲିସ ତନାଘନା ଜାରି ରଖିଛି ।