ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ପାସ୍
ନୂଆଦିଲ୍ଲୀ (ସଂକେତ ଟିଭି) ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ପାରିତ ହୋଇଛି । ବିଲକୁ କଂଗ୍ରେସ, ଆପ ଓ ଅନ୍ୟ ବିରୋଧୀ ଦଳମାନେ ବିରୋଧ କରିଥିଲେ । ବିଲ୍ ସପକ୍ଷରେ ୧୩୧ ଓ ବିପକ୍ଷରେ ୧୦୧ ଭୋଟ ପଡ଼ିଥିଲା । ଶେଷରେ ଏହି ବିଲ୍ ବହୁମତରେ ପାସ ହୋଇଛି ।
ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ବିଲ୍ ସହ ଜଡିତ ବିରୋଧୀଙ୍କ ପ୍ରଶ୍ନର ଜବାବ ଦେଇଥିଲେ । ବିଲ କାହିଁକି ଜରୁରୀ, ଏହା ଉପରେ ବିସ୍ତୃତ ଭାବେ କହିଥିଲେ । ଅମିତ ଶାହ କହିଛନ୍ତି ଯେ ଦିଲ୍ଲୀ ସେବା ବିଲ୍ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକୁ କୌଣସି ପ୍ରକାରେ ଉଲ୍ଲଂଘନ କରୁନାହିଁ। ଏହି ବିଲ୍ ର ଉଦ୍ଦେଶ୍ୟ ହେଉଛି ଦିଲ୍ଲୀରେ ସୁରୁଖୁରୁରେ ଓ ଦୁର୍ନୀତିମୁକ୍ତ ଶାସନ ସୁନିଶ୍ଚିତ କରିବା। ଏହି ବିଲରେ ଏପରି କୌଣସି ବ୍ୟବସ୍ଥା ନାହିଁ ଯାହାକି ପୂର୍ବରୁ ଚଳିଆସିଥିବା ବ୍ୟବସ୍ଥାରେ ଟିକିଏ ବି ପରିବର୍ତ୍ତନ କରିବ ।
ସୁପ୍ରିମ୍ କୋର୍ଟ କେନ୍ଦ୍ରକୁ ପୁଲିସ ଓ ଜନଶୃଙ୍ଖଳା ଉପରେ କାମ କରିବାର ଅଧିକାର ଦେଇଛନ୍ତି। ଏଥିରେ ରାଜ୍ୟକୁ ସେବା ର ଅଧିକାର ଦିଆଯିବ ବୋଲି କୁହାଯାଇଛି। ଯେକୌଣସି ବିଷୟରେ ଆଇନ ପ୍ରଣୟନ କରିବାର ଅଧିକାର କେନ୍ଦ୍ର ସରକାରଙ୍କର ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସମ୍ବିଧାନ ମଧ୍ୟ କହୁଛି ଯେ କୌଣସି ବିଷୟରେ ଆଇନ ପ୍ରଣୟନ କରିବାର ଅଧିକାର କେନ୍ଦ୍ରର ରହିଛି। ଏଥିମଧ୍ୟରୁ ଯେକୌଣସି ସ୍ଥାନରେ ସେବା ମଧ୍ୟ ଆସିଥାଏ। ସମ୍ବିଧାନରେ ସଂଶୋଧନ କରିବାର ଅଧିକାର ସଂସଦର ରହିଛି।