ଆପ୍ ସାଂସଦ ରାଘବ ଚଢା ରାଜ୍ୟସଭାରୁ ନିଲମ୍ବିତ
ନୂଆଦିଲ୍ଲୀ (ସଂକେତ ଟିଭି) ଜାଲ ଦସ୍ତଖତ ମାମଲାରେ ଆପ୍ ସାଂସଦ ରାଘବ ଚଢାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଗୃହରେ ତାଙ୍କର ଆଚରଣ ନିନ୍ଦନୀୟ ବୋଲି ଦର୍ଶାଇ ତାଙ୍କୁ ନିଲମ୍ବିତ କରିଛନ୍ତି । ଏହା ପୂର୍ବରୁ ଆପର ଅନ୍ୟତମ ସାଂସଦ ସଂଜୟ ସିଂଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା । ବିଶେଷଅଧିକାର ସମିତିର ନିଷ୍ପତ୍ତି ନଆସିବା ଯାଏ ଏହି ଦୁଇ ସାଂସଦ ରାଜ୍ୟସଭାକୁ ପ୍ରବେଶ କରିପାରିବେ ନାହିଁ ।
ରାଘବ ଚଢ଼ାଙ୍କୁ ନିଲମ୍ବିତ କରିବା ପାଇଁ ରାଜ୍ୟସଭାରେ ଶାସକ ଦଳର ନେତା ପୀୟୁଷ ଗୋୟଲ ପ୍ରସ୍ତାବ ଆଗତ କରିଥିଲେ। ସେ କହିଥିଲେ, ଏହା ଏକ ଅତ୍ୟନ୍ତ ଗମ୍ଭୀର ବିଷୟ । ଅନ୍ୟ ସଦସ୍ୟଙ୍କ ଅଜାଣତରେ ସେମାନଙ୍କ ନାମ ଚଢ଼ା ସଂସଦୀୟ କମିଟି ତାଲିକାରେ ଉଲ୍ଲେଖ କରିଥିଲେ । ଏହା ନିୟମର ଖୋଲାଖୋଲି ଅବମାନନା ଓ ଉଲ୍ଲଂଘନ। ଏହି ମାମଲାରେ ସ୍ୱାଧିକାର କମିଟିର ରିପୋର୍ଟ ନ ଆସିବା ପର୍ୟ୍ୟନ୍ତ ଚଢ଼ାଙ୍କୁ ରଜ୍ୟସଭାରୁ ନିଲମ୍ବିତ କରାଯାଉ ବୋଲି ଗୋୟଲ ଦାବି କରିଥିଲେ । ଏହି ପ୍ରସ୍ତାବକୁ ଗ୍ରହଣ କରି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧରଖର ଚଢ଼ାଙ୍କୁ ଗୃହରୁ ନିଲମ୍ବିତ କରିଥିଲେ ।
ବିଜେଡି ସାଂସଦ ସସ୍ମିତ୍ ପାତ୍ରଙ୍କ ସହ ଏସ୍ ଫାଙ୍ଗନ କନ୍ୟାକ୍, ଏମ୍ ଥାମ୍ବିଦୁରାଇ ଏବଂ ନରହରି ଅମିନଙ୍କ ଅଭିଯୋଗ ଆଧାରରେ ରାଘବ ଚଢ଼ାଙ୍କୁ ନିଲମ୍ବିତ କରାଯାଇଛି । ଦିଲ୍ଲୀ ସେବା ବିଲ୍ ଉପରେ ଏକ ସିଲେକ୍ଟ କମିଟି ଗଠନ ପାଇଁ ପ୍ରସ୍ତାବ ଦେବା ସହ ରାଘବ ଚଢ଼ା ବିନା ଅନୁମତିରେ ଏହି ଚାରି ସାଂସଦଙ୍କ ନାମ ତାଲିକାରେ ଉଲ୍ଲେଖ କରିଥିଲେ ।