ଚନ୍ଦ୍ରଯାନ-୩ : ସ୍ପେସକ୍ରାଫ୍ଟରୁ ପୃଥକ୍ ହେଲା ଲ୍ୟାଣ୍ଡର୍ ‘ବିକ୍ରମ’
ନୂଆଦିଲ୍ଲୀ (ସଂକେତ ଟିଭି) ଚନ୍ଦ୍ରଯାନ-୩ରୁ ସଫଳତାର ସହ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ । ଲ୍ୟାଣ୍ଡର ବିକ୍ରମ ଏବଂ ପ୍ରପଲସନ ମଡ୍ୟୁଲ ପରସ୍ପରଠାରୁ ଅଲଗା ହୋଇଛନ୍ତି । ୩୪ ଦିନ ଏକାଠି ମହାକାଶ ଯାତ୍ରା ପରେ ଲ୍ୟାଣ୍ଡର ଏବଂ ମଡ୍ୟୁଲ ଅଲଗା ହୋଇଛନ୍ତି । ଏହାପରେ ରୋଭର ପ୍ରଜ୍ଞାନକୁ ଧରି ଭାରତୀୟ ମହାକାଶ କାର୍ଯ୍ୟକ୍ରମର ସଂସ୍ଥାପକ ବିକ୍ରମ ସାରାଭାଇଙ୍କ ନାମାନୁସାରେ ନାମିତ ଏହି ‘ଲ୍ୟାଣ୍ଡର୍’ ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ପ୍ରପଲସନ୍ ମଡ୍ୟୁଲ୍ ଚନ୍ଦ୍ର କକ୍ଷପଥରେ ଘୂର୍ଣ୍ଣନ କରିବ । ଆସନ୍ତା ୨୩ ତାରିଖରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରରୁରେ ସଫ୍ଟ ଲ୍ୟାଣ୍ଡିଂ କରିବ ।
ଏ ସଂକ୍ରାନ୍ତରେ ‘ଏକ୍ସ୍’ (ଟୁଇଟ୍) କରି ‘ଇସ୍ରୋ’ କହିଛି: ‘ଏଲ୍ଏମ୍’ ସଫଳତାର ସହିତ ‘ପ୍ରପଲ୍ସନ୍ ମଡ୍ୟୁଲ୍’ରୁ (ପିଏମ୍) ପୃଥକ୍ ହୋଇଛି। ଆଗାମୀକାଲି ପାଇଁ ସ୍ଥିରୀକୃତ କରାଯାଇଥିବା ନିମ୍ନାବତରଣ କକ୍ଷପଥଠାରୁ ‘ଏଲ୍ଏମ୍’ ସାମାନ୍ୟ ତଳକୁ ଥିବା କକ୍ଷପଥରେ ପ୍ରବେଶ କରିବ।
ଇସ୍ରୋ ମିଶନ ମୁନରେ ଗୋଟିଏ ପରେ ଗୋଟିଏ ସଫଳତାର ପହାଚ ଚଢୁଛି । ଦୀର୍ଘ ୩୪ ଦିନ ଯାତ୍ରାରେ ପରେ ମଡ୍ୟୁଲକୁ ଲ୍ୟାଣ୍ଡର ଠାରୁ ଅଲଗା ହୋଇଛି । ସ୍ପେସ୍କ୍ରଫ୍ଟ ଚନ୍ଦ୍ର ଚାରିପାଖେ ଗୋଲାକାର ପଥରେ ଘୁରୁଛି । ଲ୍ୟାଣ୍ଡର ଅଲଗା ହେବା ପରେ ଏହା ଜହ୍ନର ଆହୁରି ନିକଟତର ହୋଇଛି । ଚନ୍ଦ୍ରଯାନ ଚନ୍ଦ୍ରଠାରୁ ୧୫୩ କିଲୋମିଟର ଉଚ୍ଚରେ ଘୁରୁଛି । ଏହାକୁ ୧୦୦ କିଲୋମିଟର ପରିଧି ଭିତରକୁ ନେବା ପରେ ୨୩ ତାରିଖ ସଂଧ୍ୟା ପ୍ରାୟ ୫ଟା ୪୫ମିନିଟ୍ ରେ ଦକ୍ଷିଣମେରୁରେ ସଫ୍ଟ ଲାଣ୍ଡିଂ କରାଯିବ । ଅନ୍ୟପଟେ ଲାଣ୍ଡରଠାରୁ ପୃଥକ ହେବା ପରେ ପ୍ରପଲସନ୍ ମଡ୍ୟୁଲ ଚନ୍ଦ୍ରର କକ୍ଷରେ ରହି ପୃଥିବୀରୁ ଆସୁଥିବା ବିକିରଣର ଅଧ୍ୟୟନ କରିବ ।