ଚନ୍ଦ୍ର ପୃଷ୍ଠରେ ଖସିପଡିଲା ଋଷିଆର ମହାକାଶଯାନ ଲୁନା-୨୫
ମସ୍କୋ (ସଂକେତ ଟିଭି) ଋଷିଆର ଲୁନା-୨୫ ମହାକାଶଯାନ ନିୟନ୍ତ୍ରଣ ବାହାରକୁ ଯିବା ପରେ ଚନ୍ଦ୍ରରେ ଖସିପଡିଛି। ଦୀର୍ଘ ୫୦ ବର୍ଷ ପରେ ଋଷିଆ ଚନ୍ଦ୍ରପୃଷ୍ଠକୁ ପଠାଇଥିବା ମହାକାଶଯାନ ଲୁନା-୨୫ ଚନ୍ଦ୍ରପୃଷ୍ଠରେ ନରମ ଅବତରଣ କରିବାର ଥିଲା । କିନ୍ତୁ ଏହାର ପୂର୍ବ ଅବତରଣ କକ୍ଷପଥକୁ ଯିବାବେଳେ ସମସ୍ୟାର ସମ୍ମୁଖୀନ ହେବା ପରେ ବିଫଳ ହୋଇଥିଲା । ଏନେଇ ଋଷିଆର ମହାକାଶ ଗବେଷଣା ସଂସ୍ଥା ରସକସମସ୍ ପକ୍ଷରୁ ସୂଚନା ଦିଆଯାଇଛି । ସଂସ୍ଥା ପକ୍ଷରୁ ରବିବାର ସକାଳେ କୁହାଯାଇଛି ଯେ ଶନିବାର ଦିନ 14:57 (11:57 GMT) ପରେ ଲୁନା -୨୫ ସହିତ ସମ୍ପର୍କ ହରାଇଛି ।
ଋଷୀୟ ମହାକାଶ ଗବେଷଣ ସଂସ୍ଥା କହିଛି ଯେ, ମହାକାଶଯାନର ଲାଣ୍ଡିଂ ପୂର୍ବରୁ କକ୍ଷପଥକୁ ପଠାଇବା ପାଇଁ ଥ୍ରଷ୍ଟ ଜାରି କରାଯାଇଥିଲା । ଏହି ସମୟରେ ଅଟୋମେଟିକ ଷ୍ଟେସନରେ ଏମର୍ଜେନ୍ସି ସ୍ଥିତି ସୃଷ୍ଟି ହୋଇଥିଲା । ଏହି କାରଣରୁ ନିର୍ଦ୍ଧାରିତ ସମୟରେ କକ୍ଷପଥ ପରିବର୍ତ୍ତନ କରିପାରିଲା ନାହିଁ ଏବଂ ଚନ୍ଦ୍ର ପୃଷ୍ଠରେ ଧକ୍କା ହେବା କାରଣରୁ ଏହା ବନ୍ଦ ହୋଇଯାଇଥିଲା।
ଭାରତର ଚନ୍ଦ୍ରଯାନ-୩ ସହିତ ଋଷିଆର ଲୁନା-୨୫ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବାକୁ ଆଗକୁ ବଢୁଛି । ପାଖାପାଖି ୫୦ ବର୍ଷ ପରେ ଋଷିଆ ଏହି ମୁନ ମିଶନ ଅଗଷ୍ଟ ୧୧ ତାରିଖରେ ଭୋସ୍ତୋଚିନ୍ କସମୋଡ୍ରୋମରୁ ଲଞ୍ଚ କରାଯାଇଥିଲା । ଲୁନା-୨୫କୁ ବୁଧବାର ସଫଳତାପୂର୍ବକ ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ କରାଯାଇଥିଲା ।
ପ୍ରକାଶଥାଉ କି, ଗତ ଜୁନରେ ରସକସମସ୍ ମୁଖ୍ୟ ୟୁରି ବୋରିସୋବ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ଏହି ଚନ୍ଦ୍ର ମିଶନ ବିପଦଜନକ ଏବଂ ଏହାର ସଫଳତା ସମ୍ଭାବନା ପାଖାପାଖି ୭୦ ପ୍ରତିଶତ ବୋଲି କହିଥିଲେ । ଲୁନା-୨୫ରେ ଚନ୍ଦ୍ରପୃଷ୍ଠରେ ପ୍ରାୟ ଏକ ବର୍ଷ ରହି ନମୁନା ସଂଗ୍ରହ ସହ ମାଟିର ବିଶ୍ଳେଷଣ କରିବ ବୋଲି ଆଶା କରାଯାଉଥିଲା । ପୂର୍ବରୁ ଲୁନା-୨୫ର ଲ୍ୟାଣ୍ଡରର ଲାଗିଥିବା କ୍ୟାମେରା ଅନ୍ତରୀକ୍ଷରେ ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଦୂରତାର ଚିତ୍ର ଉତ୍ତୋଳନ କରିସାରିଛି । ଅନ୍ୟପଟେ ଭାରତର ଚନ୍ଦ୍ରଯାନ-୩ ମଧ୍ୟ ଚନ୍ଦ୍ର ପାଖାପାଖି ପହଞ୍ଚି ଯାଇଛି । ଆଜି ଭୋର ସମୟର ଲାଣ୍ଡରର ଦ୍ବିତୀୟ ଡିବୁଷ୍ଟିଂ ସଫଳ ହୋଇଛି ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।
ପୂର୍ବରୁ କୌଣସି ଦେଶ ଦକ୍ଷିଣ ପୋଲ ଉପରେ ଅବତରଣ କରିନାହାଁନ୍ତି, ଯଦିଓ ଉଭୟ ଆମେରିକା ଏବଂ ଚୀନ୍ ଚନ୍ଦ୍ର ପୃଷ୍ଠରେ ନରମ ଅବତରଣ କରିଛନ୍ତି।