ନର୍ସ ନିଯୁକ୍ତି ପ୍ରକ୍ରିୟା ଉପରୁ ଅଙ୍କୁଶ ହଟାଇଲେ ହାଇକୋର୍ଟ, ପୂରଣ ହେବ ୭୪୮୩ ପଦବୀ
କଟକ (ସଂକେତ ଟିଭି) ନର୍ସ ନିଯୁକ୍ତି ପ୍ରକ୍ରିୟା ଉପରେ ଥିବା ଅନ୍ତରୀଣ ନିର୍ଦେଶରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ। ହାଇକୋର୍ଟ ମେ’ ୧ ର ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି । ଏହା ସହିତ ରାଜ୍ୟରେ ୭୪୮୩ ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ବାଟ ଫିଟିଛି।
କେବଳ ଆବେଦନକାରୀ ଫାର୍ମାସିଷ୍ଟଙ୍କ ପାଇଁ ନିର୍ଦ୍ଦିଷ୍ଟ ପଦବି ସଂରକ୍ଷିତ ରଖାଯିବ। ଅନ୍ୟ ପଦବୀ ଗୁଡିକରେ ସରକାର ନିଯୁକ୍ତି ଦେଇ ପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଅନ୍ୟ ପକ୍ଷରେ ମୂଳ ମାମଲାର ଫଳାଫଳ ଉପରେ ଆବେଦନକାରୀଙ୍କ ପାଇଁ ସଂରକ୍ଷିତ ପଦବୀର ଭବିଷ୍ୟତ ନିର୍ଭର କରିବ ବୋଲି ହାଇକୋର୍ଟ କହିଛନ୍ତି।
ସୂଚନାନୁସାରେ,କୋଭିଡ ସମୟରେ ନିଯୁକ୍ତି ପାଇଥିବା କିଛି ପାରା ମେଡିକାଲ ଷ୍ଟାଫଙ୍କୁ ଉପେକ୍ଷା କରାଯାଇ,ନୂତନ ନିଯୁକ୍ତି ଆରମ୍ଭ ହୋଇଥିଲା । ତେବେ କୋଭିଡ ସମୟରେ ସେମାନେ କାମ କରିଥିବାରୁ ଅଗ୍ରାଧିକାର ଭିତ୍ତିରେ ସେମାନଙ୍କୁ ନିଯୁକ୍ତି ଦିଆଯାଉ ବୋଲି କୋର୍ଟରେ ଆବେଦନ କରିଥିଲେ କିଛି ପ୍ରାର୍ଥୀ । ଏଥିପାଇଁ ୩୦ଟି ଜିଲା ଏବଂ ୩ଟି ମେଡିକାଲ କଲେଜରେ ନିଯୁକ୍ତି ପ୍ରକ୍ରିୟା ଉପରେ ଗତ ମେ ମାସ ୧ ତାରିଖରେ ନୂଆ ନିଯୁକ୍ତି ଉପରେ ରୋକ ଲଗାଇଥିଲେ ହାଇକୋର୍ଟ ।