FeaturedGeneralLatest

ଭୁଷୁଡିଲା ନିର୍ମାଣାଧୀନ ରେଳ ବ୍ରିଜ୍ : ୧୭ ମୃତ

ଆଇଜଲ (ସଂକେତ ଟିଭି) ମିଜୋରାମର ସାଇରଙ୍ଗ୍‌ ଅଞ୍ଚଳରେ ରେଲଓ୍ବେର ଏକ ନିର୍ମାଣଧୀନ ବ୍ରିଜ୍‌ ଭୁଷୁଡ଼ି ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଆହୁରି କିଛି ଶ୍ରମିକ ଭଗ୍ନସ୍ତୂପରେ ପୋତି ହୋଇ ପଡ଼ିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି, ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ବୁଧବାର ପୂର୍ବାହ୍ନ ୧୦ରେ ଏହା ଘଟିଥିବା କୁହାଯାଉଛି। ଦୁର୍ଘଟଣା ସମୟରେ ସେଠାରେ ୩୫-୪୦ ଜଣ ଶ୍ରମିକ କାମ କରୁଥିବା ପୋଲିସ ପକ୍ଷରୁ କୁହାଯାଇଛି। ଉତ୍ତରପୂର୍ବ ସୀମାନ୍ତ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସବ୍ୟସାଚୀ ଦେ କହିଛନ୍ତି, ଘଟଣାସ୍ଥଳକୁ ତୁରନ୍ତ ରେଳବାଇ ଅଧିକାରୀମାନେ ଯାଇଛନ୍ତି ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ସେଠାକୁ ଯିବେ।

ଏହି ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ପ୍ରତ୍ୟେକଙ୍କୁ ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏଥିସହ ଆହତମାନଙ୍କ ପାଇଁ ୫୦ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି।

ମିଜୋରାମ ସିଏମ ଜୋରାମଥାଙ୍ଗା ମଧ୍ୟ ଏନେଇଟୁଇଟ କରିଛନ୍ତି। ସେ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଜୀବନ ହରାଇଥିବା ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଦୁର୍ଘଟଣା ପରେ ଆହତମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଲୋକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।