CrimeLatestNews

ଟ୍ରେନ୍‌ରେ ପଶ୍ଚିମବଙ୍ଗକୁ ଚାଲାଣ ବେଳେ ଗୋଧି. କଇଁଛ, ଡାହୁକ ପକ୍ଷୀ ଉଦ୍ଧାର

ବସ୍ତା ( ପ୍ରଶାନ୍ତ କୁମାର ସେନାପତି ) ବାଲେଶ୍ୱର ଜିଲ୍ଲାରୁ ପଶ୍ଚିମବଙ୍ଗକୁ ଟ୍ରେନ୍‌ରେ ଚାଲାଣ ହେଉଥିବା ବେଳେ ୨୫ଟି ଗୋଧି ଉଦ୍ଧାର ହୋଇଛନ୍ତି। ଏହାସହ ଗୋଟିଏ କଇଁଛ ଓ ୨ଟି ଡାହୁକ ପକ୍ଷୀକୁ ବି ରେଳ ସୁରକ୍ଷା ବଳ (ଆରପିଏଫ୍‌) ଉଦ୍ଧାର କରିଛି। ବେଆଇନ ବନ୍ୟପ୍ରାଣୀ ଚାଲାଣରେ ସଂପୃକ୍ତ ପଶ୍ଚିମବଙ୍ଗ ମେଦିନୀପୁର ଜିଲ୍ଲା ନୟାଗ୍ରାମ ଥାନା ଅଞ୍ଚଳର ସଞ୍ଜୟ ନାୟକ (୨୫)କୁ ଧରି ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଅଭିଯୁକ୍ତ ଜଣେ ପେସାଦାର ଶିକାରୀ ହୋଇଥିବା ବେଳେ ତା’ ପାଖରୁ ୩୦ଟି ଫାଶ ଓ ଦୁଇଟି ବାଟୁଳି ଜବତ କରାଯାଇଛି।

ସୂଚନା ଅନୁଯାୟୀ ସଞ୍ଜୟ କିଛି ପ୍ଲାଷ୍ଟିକ ବ୍ୟାଗରେ ୨୫ ଟି ଗୋଧୀ,ଦୁଇଟି ଡାହୁକ ପକ୍ଷୀ,ଏବଂ ଗୋଟିଏ କଇଁଛକୁ ଟ୍ରେନ ଯୋଗେ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ରେଳବାଇ ପୋଲିସ ଜଳେଶ୍ୱର ଷ୍ଟେସନରୁ ଜବତ କରିଥିଲା । ଏହା ସହିତ ସଞ୍ଜୟକୁ ଗିରଫ କରିଛି । ଜବତ ବନ୍ୟପ୍ରାଣୀଙ୍କୁ ଚାନ୍ଦିପୁର ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଏ ସଂକ୍ରାନ୍ତରେ ବନ ବିଭାଗ କେସ୍‌ ନମ୍ବର ୩୩ ସିଏଚ୍‌/୨୦୨୩-୨୪ରେ ଏକ ମାମଲା ରୁଜୁ ହୋଇଛି। ଉଦ୍ଧାର କରାଯାଇଥିବା ଗୋଧି, କଇଁଛ ଓ ଡାହୁକ ପକ୍ଷୀକୁ କୁଲଡିହା ଅଭୟାରଣ୍ୟରେ ଛଡ଼ାଯିବ ବୋଲି ରେଞ୍ଜ ଅଧିକାରୀ କହିଛନ୍ତି।