ଚନ୍ଦ୍ରର ଦକ୍ଷିଣ ମେରୁରେ ତାପମାତ୍ରା କେତେ ? ଚନ୍ଦ୍ରଯାନ-୩ ପଠାଇଲା ନୂଆ ତଥ୍ୟ
ନୂଆଦିଲ୍ଲୀ( ସଂକେତ୍ ଟିଭି ) ଚନ୍ଦ୍ରର ତାପମାତ୍ରା ମାପିଲା ଚନ୍ଦ୍ରଯାନ-୩ ର ରୋଭର ପ୍ରଜ୍ଞା । ଏନେଇ ନାସାକୁ ଚନ୍ଦ୍ରପୃଷ୍ଠରୁ ଆସିଛି ନୂଆ ତଥ୍ୟ । ଚନ୍ଦ୍ରର ଦକ୍ଷିଣ ମେରୁରୁ ପ୍ରଥମଥର ପାଇଁ ଏହି ପ୍ରକାରର ତଥ୍ୟ ସାମ୍ନାକୁ ଆସିଛି । ଏହାର ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଯାହାକୁ ଗ୍ରାଫ ଯୋଗେ ଦର୍ଶାଇଛି ଇସ୍ରୋ । ରବିବାର (ଅଗଷ୍ଟ ୨୭) ଇସ୍ରୋ ଟୁଇଟ୍ କରି ଏ ନେଇ ସୂଚନା ଦେଇଛି।
ଇସ୍ରୋ ଟୁଇଟ୍ କରିଥିବା ଏହି ଗ୍ରାଫରେ ଚନ୍ଦ୍ରର ଦକ୍ଷିଣ ମେରୁର ତାପମାତ୍ରା -୧୦ ଡିଗ୍ରୀ ସେଲସିୟସରୁ ୫୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିଛି । ଚନ୍ଦ୍ରପୃଷ୍ଠର ଥର୍ମାଲ ଆଚରଣକୁ ବୁଝିବା ପାଇଁ ଚାଷ୍ଟେ (ଚନ୍ଦ୍ର ସରଫେସ ଥର୍ମୋଫିଜିକାଲ ଏକ୍ସପେରିମେଣ୍ଟ) ପେଲୋଡ୍ ଚନ୍ଦ୍ରର ଉପର ମାଟିର ତାପମାତ୍ରା ପ୍ରୋଫାଇଲ୍ ମାପିଥାଏ। ଏଥିରେ ଏକ ତାପମାତ୍ରା ପରୀକ୍ଷଣ ଉପକରଣ ରହିଛି ଯାହା ପୃଷ୍ଠରୁ ୧୦ ସେଣ୍ଟିମିଟର ଗଭୀରତାରେ ପହଞ୍ଚିବାରେ ସକ୍ଷମ । ଚାଷ୍ଟେରେ ୧୦ଟି ଅଲଗା ଅଲଗା ପ୍ରକାରର ସେନସର ଲାଗିଛି ।
ଇସ୍ରୋ ପକ୍ଷରୁ ଏକ ଗ୍ରାଫ୍ ମଧ୍ୟ ଜାରି କରାଯାଇଛି । ସେଥିରୁ ଜଣାପଡ଼ୁଛି ଯେ ଚନ୍ଦ୍ରପୃଷ୍ଠର ତାପମାତ୍ରା -୧୦ ଡିଗ୍ରୀ ସେଲସିୟସରୁ ୫୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହୁଛି । ପୃଷ୍ଠରୁ ଗଭୀରତାକୁ ଗଲେ ତାପମାତ୍ରା ହ୍ରାସ ପାଉଛି ।
