କଂଗ୍ରେସରେ ମିଶିବେ ହକି ଖେଳାଳୀ ପ୍ରବୋଧ ତିର୍କୀ
ଭୂବନେଶ୍ବର (ସଂକେତ୍ ଟିଭି) ଭାରତୀୟ ହକି ଦଳର ପୂର୍ବର କ୍ୟାପଟେନ୍ ପ୍ରବୋଧ ତିର୍କୀ କଂଗ୍ରେସରେ ଯୋଗଦେବେ । ସେ ନିଜେ ଏହି ସୂଚନା ଦେଇଛନ୍ତି । ରାହୁଲ ଗାନ୍ଧିଙ୍କ ନେତୃତ୍ୱ ମୋତେ ଆକର୍ଷିତ କରିଛି। ସେଥିପାଇଁ ମୁଁ କଂଗ୍ରେସରେ ଯୋଗ ଦେବି ବୋଲି ସ୍ଥିର କରିଛି। ଆଗାମୀ ଦିନରେ ସୁଯୋଗ ମିଳିଲେ କଂଗ୍ରେସ ପକ୍ଷରୁ ତଳସରା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ଭାବେ ପ୍ରବୋଧ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ।
ସେ କହିଛନ୍ତି ଆଜି ମୁଁ ଭୁବନେଶ୍ୱର ଯିବି। ଆସନ୍ତାକାଲି ପିସିସି ସଭାପତିଙ୍କୁ ଭେଟିବି। ତାଙ୍କ ପରାମର୍ଶକ୍ରମେ ଆଗାମୀ କାର୍ଯ୍ୟକ୍ରମ ସ୍ଥିର ହେବ।
କିଛି ଦିନ ତଳେ ବାଲିଶଙ୍କରାରେ କଂଗ୍ରେସ ପତାକା ଧରି ଦଳର ବ୍ଲକ ଘେରାଉରେ ସେ ସାମିଲ ହୋଇଥିବା ଦେଖାଯାଇଥିଲା । ଏହା ପରେ ସେ କଂଗ୍ରେସରେ ସାମିଲ ହେବା ଚର୍ଚ୍ଚା ଜୋର୍ ଧରିଥିଲା । ହକି ତାରକା ଭାବେ ଦେଶରେ ସୁନାମ ଅର୍ଜିଥିବା ପ୍ରବୋଧ ତିର୍କୀ କଂଗ୍ରେସରେ ସାମିଲ ହେବାକୁ ମନ ବଳାଇବା ତଳସରା ତଥା ଜିଲ୍ଲା ରାଜନୀତିକୁ ସରଗରମ କରିଛି ।
କଂଗ୍ରେସର ଗଡ଼ ଥିବା ତଳସରା ବିଧାନସଭାକୁ ୨୦୧୯ରେ ବିଜେପି ଛଡ଼ାଇ ନେଇଥିଲା। ଭୂତପୂର୍ବ ଲୋକପ୍ରିୟ କଂଗ୍ରେସ ବିଧାୟକ ତଥା ମନ୍ତ୍ରୀ ଗଜାଧର ମାଝୀଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ଲଗାତର ୩ ଥର ବିଧାୟକ ରୂପେ ନିର୍ବାଚିତ ହୋଇ ହ୍ୟାଟ୍ରିକ ମାରିଥିବା ଡ. ପ୍ରଫୁଲ୍ଲ ମାଝୀ ୨୦୧୯ ସାଧାରଣ ନିର୍ବାଚନରେ ପରାଜିତ ହେବା ପରେ ୨୦୨୧ ଡିସେମ୍ବରରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଲେ। ଏହା ପରେ ୨୦୨୪ ନିର୍ବାଚନରେ ତଳସରା କ୍ଷେତ୍ର ପାଇଁ କଂଗ୍ରେସ ଏକ ଗ୍ରହଣୀୟ ଚେହେରା ଖୋଜୁଥିଲେ। ପ୍ରବୋଧ କଂଗ୍ରେସ ଖୋଜୁଥିବା ଚେହେରା ହୋଇପାରନ୍ତି ବୋଲି ଆଲୋଚନା ହେଉଛି।
ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍ ଲୁଲକିଡ଼ିହି ଗାଁର ପ୍ରବୋଧ ଦେଶ ପାଇଁ ଅନେକ ନାଁ କରିଛନ୍ତି। ୧୯୮୪ ମସିହା ଅକ୍ଟୋବର ୬ରେ ସେ ଜନ୍ମ ହୋଇଥିଲେ। ସେ ଭାରତୀୟ ହକି ଦଳର ଅଧିନାୟକ ହୋଇପାରିଥିଲେ। ତା’ ପୂର୍ବରୁ ସେ ଜାତୀୟ ସବ୍-ଜୁନିୟର, ଜୁନିୟର ଓ ‘ଏ’ ଟିମ୍ର ମଧ୍ୟ ଅଧିନାୟକ ହୋଇଥିଲେ। ୨୦୦୭ରେ ଚେନ୍ନାଇରେ ଅନୁଷ୍ଠିତ ଏସିଆ କପ୍ରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା। ସେତେବେଳେ ପ୍ରବୋଧ ଦଳର ଅଧିନାୟକ ଥିଲେ।