LatestNews

ଜାଗା ମିଶନ ଜରିଆରେ ୬୫ ହଜାର ପରିବାରକୁ ଜମିପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ( ସଂକେତ୍ ଟିଭି ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ମହାନଗର ନିଗମର ୬୫ ହଜାର ଗରିବ ପରିବାରକୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉଲକେଲା ମହାନଗରର ଗରିବ ବସ୍ତି ପରିବାରକୁ ଜାଗା ମିଶନ ଜରିଆରେ ଜମିପଟ୍ଟା ପ୍ରଦାନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜାଗା ସହ ଘର କରିବା ପାଇଁ ଆର୍ଥିକ ସହାୟତା ମଧ୍ୟ ଦିଆଯିବ। ଆସନ୍ତା ଅକ୍ଟୋବର ମାସରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ପ୍ରମାଣ ପତ୍ର ପ୍ରଦାନ କରାଯିବ। ସହରର ସବୁ ଗରିବ ପରିବାରଙ୍କୁ ଭୂମି ଅଧିକାର ମିଳିବା ପର୍ଯ୍ୟନ୍ତ ଏ ଅଭିଯାନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୮ରୁ ଆରମ୍ଭ ହୋଇଥିବା ଜାଗା ମିଶନ କାର୍ଯ୍ୟକ୍ରମରେ ସହରର ବସ୍ତିଗୁଡିକରେ ରହୁଥିବା ଗରିବ ପରିବାରକୁ ଭୂମି ଅଧିକାର ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସହରର ୧ ଲକ୍ଷ ୭୦ହଜାରରୁ ଅଧିକ ପରିବାରକୁ ଭୂମି ଅଧିକାର ମିଳିଛି। ଆଜିର କାର୍ଯ୍ୟକ୍ରମକୁ ମିଶାଇ ରାଜ୍ୟରେ ୨ ଲକ୍ଷ ୪୦ ହଜାର ପରିବାରକୁ ଭୂମି ଅଧିକାର ମିଳିଲା। ଏହା ସହିତ ୪୦ ହଜାର ପରିବାରକୁ ଘର ତିଆରି ପାଇଁ ସହାୟତା ମଧ୍ୟ ଦିଆଯାଇଛି।

ବସ୍ତିମୁକ୍ତ ଓଡିଶା ଗଠନ ଉଦ୍ଦେଶ୍ୟ ନେଇ ଏହିସବୁ ବସ୍ତିକୁ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ଦିଆଯାଇ ଏସବକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୬୮ଟି ପୌରାଞ୍ଚଳର ୧୦୧୦ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି।