FeaturedGeneralLatest

ଚନ୍ଦ୍ରପୃଷ୍ଠରୁ ଲ୍ୟାଣ୍ଡର ବିକ୍ରମର ଫଟୋ ପଠାଇଲା ରୋଭର ପ୍ରଜ୍ଞାନ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଚନ୍ଦ୍ରଯାନ-୩ର ‘ରୋଭର୍‌ ପ୍ରଜ୍ଞାନ’ ଆଜି ସକାଳ ୭ଟା ୩୫ରେ ଲ୍ୟାଣ୍ଡର୍‌ ବିକ୍ରମର ଫଟୋ ଉଠାଇଛି। ପ୍ରଥମ କରି ରୋଭର ପ୍ରଜ୍ଞା ର ‘ନେଭିଗେସନ୍‌ କ୍ୟାମେରା’ରେ ଚନ୍ଦ୍ରପୃଷ୍ଠରେ ଥିବା ‘ଲାଣ୍ଡର୍‌ ବିକ୍ରମ୍‌’ର ଫଟୋ ଉଠାଇ ସେୟାର୍‌ କରିଛି। ଇସ୍ରୋ ଏହି ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଛି। ନେଭିଗେସନ୍‌ କ୍ୟାମେରାକୁ ଲାବୋରଟୋରି ଫର ଇଲେକ୍ଟ୍ରୋ ଅପ୍ଟିକ୍ସ ସିଷ୍ଟମ ଦ୍ୱାରା ପ୍ରସ୍ତୁତ କରାଯାଇଛି।

ଗତକାଲି ଚନ୍ଦ୍ରପୃଷ୍ଠର ତାପମାତ୍ରା ସଂପର୍କରେ ସୂଚନା ପ୍ରଦାନ କରିଥିବା ରୋଭର ଚନ୍ଦ୍ରର ଦକ୍ଷିଣ ମେରୁରେ ଗନ୍ଧକ (ସଲଫର)ର ସନ୍ଧାନ ପାଇଛି। ଏଥିରେ ଥିବା ଲେଜର-ଇଣ୍ଡ୍ୟୁସ୍‌ଡ ବ୍ରେକ୍‌ଡାଉନ୍ ସ୍ପେକ୍ଟ୍ରୋସ୍ପୋପ୍ (ଲିବ୍ସ) ଉପକରଣ ଚନ୍ଦ୍ରର ଦକ୍ଷିଣମେରୁରେ ଗନ୍ଧକ ଥିବା ସ୍ପଷ୍ଟ କରିଛି।

କେବଳ ସଲ୍‌ଫର ନୁହେଁ, ରୋଭର ପ୍ରଜ୍ଞା ଚନ୍ଦ୍ରପୃଷ୍ଠରେ ଆହୁରି ଅନେକ ଉପାଦାନର ସନ୍ଧାନ ପାଇଥିବା ପ୍ରାଥମିକ ବିଶ୍ଳେଷଣରୁ ଜଣାପଡ଼ିଛି। ସେଗୁଡ଼ିକ ମଧ୍ୟରେ ରହିଛି ଆଲୁମିନିୟମ, କ୍ୟାଲ୍‌ସିୟମ, ଲୌହ, କ୍ରୋମିୟମ ଓ ଟାଇଟାନିୟମ। ଚନ୍ଦ୍ରପୃଷ୍ଠରେ ମାଙ୍ଗାନିଜ, ସିଲିକନ ଓ ଅମ୍ଳଜାନ ମଧ୍ୟ ରହିଛି। ଉଦଜାନ (ହାଇଡ୍ରୋଜେନ) ଅଛି କି ନା ତା ଉପରେ ଅନୁସନ୍ଧାନ ଚାଲିଛି। ତାହା ଯଦି ମିଳିଯାଏ, ତେବେ ଚନ୍ଦ୍ରରେ ଜଳ ଥିବା ସ୍ପଷ୍ଟ ହୋଇଯିବ ବୋଲି ଇସ୍ରୋ କହିଛି।