ସେପ୍ଟେମ୍ବର ୧୮ରୁ ବସିବ ସଂସଦର ବିଶେଷ ଅଧିବେଶନ
ନୂଆଦିଲ୍ଲୀ (ସଂକେତ୍ ଟିଭି) କେନ୍ଦ୍ର ସରକାର ସଂସଦର ବିଶେଷ ଅଧିବେଶନ ଡାକିଛନ୍ତି । ଏହି ବିଶେଷ ଅଧିବେଶନ ସେପ୍ଟେମ୍ବର ୧୮ରୁ ୨୨ ଯାଏ ହେବ । ଏ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ବିଟ କରି ସୂଚନା ଦେଇଛନ୍ତି ।
ସେ ଉଲ୍ଲେଖ କରିଛନ୍ତି ଯେ ସଂସଦର ଏହି ବିଶେଷ ଅଧିବେଶନ (ସପ୍ତଦଶ ଲୋକସଭାର ତ୍ରୟୋଦଶ ଓ ରାଜ୍ୟସଭାର ୨୬୧ତମ ଅଧିବେଶନ)ରେ ମାତ୍ର ୫ଟି ବୈଠକ ହେବ। ତେବେ ସଂସଦର ଏହି ବିଶେଷ ଅଧିବେଶନର ଏଜେଣ୍ଡା ସମ୍ପର୍କରେ ଅଧିକାରୀକ ଭାବେ କିଛି କୁହାଯାଇ ନାହିଁ।
ସମ୍ବିଧାନ ଅନୁଚ୍ଛେଦ ୮୫ରେ ସଂସଦର ବିଶେଷ ଅଧିବେଶନ ଡାକିବାର ପ୍ରାବଧାନ ରହିଛି । ଏହି ଧାରା ଅନୁସାରେ ବିଶେଷ ଅଧିବେଶନ ଡାକିବାର ଅଧିକାର କେନ୍ଦ୍ର ସରକାରଙ୍କର ରହିଛି । ସଂସଦୀୟ ବିଭାଗର କ୍ୟାବିନେଟ ସମିତି ଏହି ନିଷ୍ପତ୍ତି ନେଇଥାଏ ଏବଂ ରାଷ୍ଟ୍ରପତି ଏହାକୁ ଔପଚାରିକ ଅନୁମତି ଦେଇଥାନ୍ତି । ଏହାପରେ ବିଶେଷ ଅଧିବେଶନ ଡକାଯାଇଥାଏ ।