ଚନ୍ଦ୍ର ପୃଷ୍ଠରେ ରୋଭର ପ୍ରଜ୍ଞାନ ଖେଳୁଥିବା ଭିଡିଓ ରେକର୍ଡ କଲା ଲ୍ୟାଣ୍ଡର ବିକ୍ରମ
ବେଙ୍ଗାଲୁରୁ (ସଂକେତ୍ ଟିଭି) ଇସ୍ରୋ ପକ୍ଷରୁ ଆଜି ରୋଭର ପ୍ରଜ୍ଞାନର ଭିଡିଓ ପୋଷ୍ଟ କରାଯାଇଛି । ଏହି ଭିଡିଓରେ ରୋଭର ଏକ ସୁରକ୍ଷିତ ମାର୍ଗ ସନ୍ଧାନରେ ୩୬୦ ଡିଗ୍ରୀ ଘୂର୍ଣ୍ଣନ କରୁଥିବା ଦେଖାଯାଉଛି, ଯାହା ଚନ୍ଦ୍ର ପୃଷ୍ଠରେ ନାଚୁଥିବା ପରି ଦେଖାଯାଉଛି।
ଇସ୍ରୋ ପକ୍ଷରୁ ଟୁଇଟ କରି କୁହାଯାଇଛି ଯେ, ଲ୍ୟାଣ୍ଡର୍ ବିକ୍ରମ ରୋଭର ପ୍ରଜ୍ଞାନଙ୍କ ସୁରକ୍ଷିତ ପଥ ଆଡକୁ ଘୂର୍ଣ୍ଣନ କରୁଥିବା ଭିଡିଓ ରେକର୍ଡ କରିଛନ୍ତି। ଏହି ଭିଡିଓରେ ଲାଗୁଛି ଯେ ପ୍ରଜ୍ଞାନ ରୋଭର ପିଲା ଭଳି ଜହ୍ନ ମାମୁଁଙ୍କ ଅଗଣାରେ ଖେଳୁଛନ୍ତି ଏବଂ ତା ମା (ବିକ୍ରମ ଲ୍ୟାଣ୍ଡର) ତାକୁ ଶ୍ରଦ୍ଧାରେ ଚାହିଁ ରହିଛି।
ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ପରଠାରୁ ରୋଭର ପ୍ରଜ୍ଞାନ ଏବଂ ଲ୍ୟାଣ୍ଡର ବିକ୍ରମ ପ୍ରତିଦିନ ପୃଥିବୀକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପଠାଉଛନ୍ତି। ଏହି ସମୟରେ, ଲ୍ୟାଣ୍ଡର ବିକ୍ରମ ରୋଭର ପ୍ରଜ୍ଞାନର ଏହି ଭିଡିଓ ଚନ୍ଦ୍ର ପୃଷ୍ଠରୁ ଇସ୍ରୋକୁ ପଠାଇଛି।
ସେପଟେ ଚନ୍ଦ୍ରଯାନ-୩ର ପ୍ରଜ୍ଞାନ ରୋଭରରେ ଥିବା ଅନ୍ୟ ଏକ ଯନ୍ତ୍ର ଭିନ୍ନ ଟେକ୍ନିକ୍ରେ ଗନ୍ଧକ (ସଲଫର)ର ଉପସ୍ଥିତିକୁ ସ୍ପଷ୍ଟ କରିଛି। ଆଲଫା କଣିକା ଏକ୍ସ-ରେ ସ୍ପେକ୍ଟ୍ରୋସ୍କୋପ୍ (ଏପିଏକ୍ସଏସ୍) ସଲଫର ଓ ଅନ୍ୟ ଛୋଟ ଉପାଦାନଗୁଡିକ ଚିହ୍ନଟ କରିଛି। ଚନ୍ଦ୍ରଯାନ-୩ର ଏହି ସନ୍ଧାନ ବୈଜ୍ଞାନିକଙ୍କୁ ସଲଫରର ଏହି ଉତ୍ସ ଚନ୍ଦ୍ରର ଅନ୍ତର୍ନିହିତ ଅଥବା ଆଗ୍ନେୟଗିରୁ କିମ୍ବା ଆଞ୍ଚଳିକ ତାହା ନୂଆ କରି ସୁନିଶ୍ଚିତ କରିବାକୁ ବାଧ୍ୟ କରିଛି।
ଇସ୍ରୋ ଜାରି କରିଥିବା ଭିଡିଓରେ ଏକ ସ୍ୱୟଂଚାଳିତ ହିଞ୍ଜ ମେକାନିଜିମ୍ ପ୍ରଦର୍ଶିତ ହେଉଛି। ଯେଉଁଥିରେ ୧୮ ସେଣ୍ଟିମିଟର ଲମ୍ବ ଏପିଏକ୍ସଏସ୍ କୁ ବୁଲାଉଥିବା ଦେଖାଯାଉଛି। ଯାହା ଡିଟେକ୍ଟର ହେଡକୁ ଚନ୍ଦ୍ର ପୃଷ୍ଠରୁ ୫ ସେଣ୍ଟିମିଟର ଦୂରରେ ସୁନିଶ୍ଚିତ କରୁଛି। ପ୍ରଜ୍ଞାନ ରୋଭରରେ ଲାଗିଥିବା ଏପିଏକ୍ସଏସ୍ ପ୍ରଣାଳୀକୁ ପିଆରଏଲ ଅହମ୍ମଦାବାଦ ବିକଶିତ କରିଛନ୍ତି। ସେହିପରି ରୋଭରରେ ଏହି ପ୍ରଣାଳୀର ମୁତୟନ ତନ୍ତ୍ରକୁ ୟୁଆରଏସସି ବେଙ୍ଗାଲୁରୁ ବିକଶିତ କରିଛନ୍ତି।