FeaturedGeneralLatest

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ କୋବିନ୍ଦଙ୍କ ନେତୃତ୍ବରେ ଗଠନ ହେଲା କମିଟି

ନୂଆଦିଲ୍ଲୀ (ସଂକେତ୍ ଟିଭି) ଦେଶରେ ଏକକ ନିର୍ବାଚନ ପାଇଁ କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ କମିଟି ଗଠନ କରିଛନ୍ତି । ଏହି କମିଟି ଏକକ ନିର୍ବାଚନ ପାଇଁ ବିଭିନ୍ନ ଦିଗ ଉପରେ ବିଚାର କରିବ ଓ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ । କୋବିନ୍ଦଙ୍କ ନେତୃତ୍ବାଧୀନ କମିଟିରେ ଦୁଇ ଜଣ ଅବସରପ୍ରାପ୍ତ ବିଚାରପତି ରହିପାରନ୍ତି । ଏନେଇ କିଛି ସମୟ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ । କେନ୍ଦ୍ର ସରକାର ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଇବାର ଦିନକ ପରେ ସରକାର ଏହି କମିଟି ଗଠନ କରିଛନ୍ତି ।

ସେପ୍ଟେମ୍ବର ୧୮ରୁ ୨୨ ଯାଏଁ ଅଧିବେଶନ ଚାଲିବାକୁ ସଂସଦର ସ୍ବତନ୍ତ୍ର ଅଧିବେଶନ ବେଳେ ସରକାର ୱାନ ନେସନ ୱାନ ଇଲେକ୍ସନ ବା ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ୍ ଆଣିପାରନ୍ତି । ଏହି ବିଲ୍ ପାସ୍ ହେଲେ ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସମୟରେ ହେବ ।

ଏକକ ନିର୍ବାଚନ ହେଲେ ନିର୍ବାଚନୀ ଖର୍ଚ୍ଚ ବହୁମାତ୍ରାରେ ହ୍ରାସ ପାଇବ । ପ୍ରତିବର୍ଷ ଦେଶର କୌଣସି ନା କୌଣସି ରାଜ୍ୟରେ ବାରମ୍ବାର ନିର୍ବାଚନ ଆଚରଣ ବିଧି ଲାଗୁ ହେବ ନାହିଁ । ଏହିସବୁ କାରଣ ଦର୍ଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନ କରିବା ପ୍ରସଙ୍ଗରେ ଅନେକ ବର୍ଷ ହେଲା ଜୋର ଦେଇଆସୁଛନ୍ତି ଏବଂ ଏକକ ନିର୍ବାଚନ କରାଇବାକୁ ବିଭିନ୍ନ ମହଲରେ ଆଲୋଚନା ମଧ୍ୟ କରିସାରିଛନ୍ତି ।

ସେପଟେ ବିରୋଧୀ ଦଳଗୁଡିକ ଏକକ ନିର୍ବାଚନ ନିଷ୍ପତ୍ତିକୁ ଦୃଢ ବିରୋଧ କରୁଛନ୍ତି । କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ଏବେ ଏକକ ନିର୍ବାଚନର ଆବଶ୍ୟକତା ନାହିଁ । ସରକାର ପ୍ରଥମେ ବେରୋଜଗାରୀ ଓ ଦରଦାମ ବୃଦ୍ଧି ଉପରେ ଧ୍ୟାନ ଦିଅନ୍ତୁ ।