ବିରୋଧୀ ମହାମେଣ୍ଟ “ଇଣ୍ଡିଆ”ର ୧୩ ଜଣିଆ ସମନ୍ବୟ କମିଟି ଗଠିତ
ମୁମ୍ବାଇ (ସଂକେତ୍ ଟିଭି) ବିରୋଧୀ ମହାମେଣ୍ଟ ଇଣ୍ଡିଆ ର ତୃତୀୟ ବୈଠକ ମୁମ୍ବାଇରେ ଆୟୋଜିତ ହୋଇଛି । ଆଜି ଏହାର ଦ୍ବିତୀୟ ଦିନ । ଏହି ବୈଠକରେ ଆଜି ବିରୋଧୀ ମହାମେଣ୍ଟ ୧୩ ଜଣିଆ କୋର୍ଡିନେସନ ବା ସମନ୍ବୟ କମିଟି ଗଠନ କରିଛନ୍ତି । ଏହି ପ୍ୟାନେଲରେ ଏନସିପି ମୁଖ୍ୟ ଶରଦ ପାୱାର ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଧ୍ୟ ସାମିଲ ହୋଇଛନ୍ତି ।
ସୂଚନା ଅନୁସାରେ ଏହି ୧୩ ଜଣିଆ ସମନ୍ବୟ କମିଟି ମଧ୍ୟରେ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ଏନସିପି ସୁପ୍ରିମୋ ଶରଦ ପାୱାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମରେ ସଭାପତି ଏମ.କେ ଷ୍ଟାଲିନ, ବିହାର ଉପମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ବୀ ଯାଦବ ଓ ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ ସଦସ୍ୟ ରହିଛନ୍ତି ।
ଏହି କମିଟିରେ ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ହେମନ୍ତ ସୋରେନ, ଶିବ ସେନା (ଉଦ୍ଧବ ଗୋଷ୍ଠୀ) ନେତା ସଞ୍ଜୟ ରାୱତ, ଆମ ଆଦମୀ ପାର୍ଟି ନେତା ରାଘବ ଚଢା, ସିପିଆଇ ନେତା ଡି ରାଜା, ନ୍ୟାସନାଲ କନଫରେନ୍ସ ନେତା ତଥା ପୂର୍ବତନ ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଅମର ଅବଦୁଲ୍ଲା, ପିଡିପି ନେତା ତଥା ପୂର୍ବତନ ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି । ବିରୋଧୀ ମହାମେଣ୍ଟର ଏହି ୧୩ ଜଣିଆ କମିଟି ମେଣ୍ଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ ।
ଗତକାଲିଠାରୁ ମୁମ୍ବାଇ ଭକୋଲା ସ୍ଥିତ ହୋଟେଲ ଗ୍ରାଣ୍ଡ ହାୟତରେ ଆରମ୍ଭ ହୋଇଥିବା ୩ୟ ବୈଠକ ଏନସିପି ମୁଖ୍ୟ ଶରଦ ପାୱାର ଓ ଶିବସେନା ଉଦ୍ଧବ ଗୋଷ୍ଠୀଙ୍କ ଅଧ୍ୟକ୍ଷତାରେ ମୁମ୍ବାଇରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ୨୮ଟି ବିଜେପି-ବିରୋଧୀ ଦଳ ସାମିଲ ହୋଇଛନ୍ତି । ଏଥିରେ ମେଣ୍ଟର ଲୋଗୋ କଣ ରହିବ ତାହା ମଧ୍ୟ ଉନ୍ମୋଚିତ ହେବ ବୋଲି ଚର୍ଚ୍ଚା ହେଉଛି ।
ଏହି ବୈଠକରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ମଧ୍ଯ ସାମିଲ ହୋଇଛନ୍ତି ।