ହଷ୍ଟେଲ୍ରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ଆଇଆଇଟି-ଦିଲ୍ଲୀର ଛାତ୍ର
ନୂଆଦିଲ୍ଲୀ(ସଂକେତ୍ ଟିଭି) ‘ଆଇଆଇଟି-ଦିଲ୍ଲୀ’ର ‘ବିନ୍ଧ୍ୟାଚଳ ହଷ୍ଟେଲ୍’ରେ ରହୁଥିବା ଜଣେ ୨୧ ବର୍ଷିୟ ଛାତ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଛାତ୍ର ଜଣକ ହେଲେ ଅନୀଲ କୁମାର । ସେ ୨୦୧୯-୨୦୨୩ ପାଠ୍ୟକ୍ରମରେ ‘ମ୍ୟାଥ୍ମେଟିକ୍ସ୍ ଆଣ୍ଡ୍ କମ୍ପ୍ୟୁଟିଙ୍ଗ୍’ରେ ‘ବି. ଟେକ୍’ କରୁଥିଲେ।
ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ କିଷନଗଡ଼ ଥାନା ପୁଲିସ ଫୋନ୍ କଲ୍ ପାଇ ଭିତରପଟୁ ବନ୍ଦ ଥିବା ହଷ୍ଟେଲ୍ ରୁମ୍ର କବାଟକୁ ଭାଙ୍ଗିଥିଲା । ଏବଂ ଅନୀଲର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା । ପୁଲିସ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅନୀଲ ଜୁନ୍ ମାସରେ ହଷ୍ଟେଲ୍ ଛାଡ଼ିବା କଥା, କିନ୍ତୁ କେତେକ ବିଷୟରେ ସେ ପାସ୍ କରି ନ ଥିବାରୁ ତାଙ୍କୁ ‘ଏକ୍ସଟେନ୍ସନ୍’ରେ ରଖାଯାଇଥିଲା। ତେଣୁ, ଗତ ୬ ମାସ ହେବ ସେ ହଷ୍ଟେଲ୍ରେ ରହୁଥିଲେ।
ପୁଲିସ ଘଟଣାସ୍ଥଳରୁ କୌଣସି ସୁସାଇଡ୍ ନୋଟ୍ ପାଇ ନ ଥିଲେ ବି ପାଠଜନିତ ଚାପ ଏହି ଚରମ ନିଷ୍ପତ୍ତିର କାରଣ ବୋଲି ସନ୍ଦେହ କରାଯାଉଛି। ତାଙ୍କର ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।