FeaturedGeneralLatest

୧୦୦ ମିଟର ବୁଲିସାରିଲାଣି ପ୍ରଜ୍ଞାନ, ଖୁବଶୀଘ୍ର ‘ସ୍ଲିପ୍‌’ ମୋଡ୍‌କୁ ଯିବେ ପ୍ରଜ୍ଞାନ, ବିକ୍ରମ

ବେଙ୍ଗାଲୁରୁ (ସଂକେତ୍ ଟିଭି) ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଏପର୍ଯ୍ୟନ୍ତ ୧୦୦ ମିଟର ବୁଲିସାରିଲାଣି। ବିକ୍ରମ ଲ୍ୟାଣ୍ଡର ଓ ରୋଭର ଉଭୟଙ୍କ ସ୍ୱାସ୍ଥ୍ୟ ଭଲ ଅଛି ଉଭୟରେ ଲାଗିଥିବା ସମସ୍ତ ପେ ଲୋଢ ଠିକ୍‌ ରୂପେ କାମ କରୁଛନ୍ତି ବୋଲି ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ଙ୍କ ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି ।

ବର୍ତ୍ତମାନ ପ୍ରଜ୍ଞାନ ଓ ବିକ୍ରମକୁ ‘ସ୍ଲିପ୍‌’ ମୋଡ୍‌ କରାଯିବ। ଏହି ପ୍ରକ୍ରିୟା ଦିନେ କିମ୍ବା ଦୁଇ ଦିନ ଭିତରେ ଆରମ୍ଭ ହେବ। କାରଣ ସେହି ସମୟରେ ଚନ୍ଦ୍ରପୃଷ୍ଠରେ ରାତି ହେବ।

ରୋଭରର ଟାର୍ଗେଟ୍ ଥିଲା ଯେପରି ଚନ୍ଦ୍ରର ଦିନଟିଏ ପୂରଣ ହେବା ପୂର୍ବରୁ ସେ ୫୦୦ ମିଟର ପର୍ଯ୍ୟନ୍ତ ଯାତ୍ରା କରିଥିବ। ସେ ଲଗାତାର ସେକେଣ୍ଡ ପିଛା ୧ ସେଣ୍ଟିମିଟର ବେଗରେ ଗତି କରୁଛି। ଆାଗମୀ ୫-୬ ଦିନ ପର୍ଯ୍ୟନ୍ତ ରୋଭର ଚନ୍ଦ୍ର ପୃଷ୍ଠରେ ସେହି ପର୍ଯ୍ୟନ୍ତ କାମ କରିପାରିବ ଯେଉଁ ପର୍ଯ୍ୟନ୍ତ ତାକୁ ସୂର୍ଯ୍ୟରୁ ଶକ୍ତି ମିଳୁଥିବ। ସେ ପର୍ଯ୍ୟନ୍ତ ସେ ଚନ୍ଦ୍ରର ପୃଷ୍ଠ ଓ ବିକ୍ରମର ଫଟୋ ଉଠାଉଥିବ।

ଏହା ପୂର୍ବରୁ ରୋଭର ଚନ୍ଦ୍ର ପୃଷ୍ଠରେ ବିକ୍ରମ ଲ୍ୟାଣ୍ଡରର ଏକ ଆକର୍ଷଣିୟ ଫଟୋ କ୍ଲିକ୍‌ କରିଥିଲା। ରୋଭର ରାସ୍ତାରେ ଆସିଥିବା ଗର୍ତ୍ତକୁ ପାର କରିବା ପାଇଁ ସେ ଦିଗ ମଧ୍ୟ ବଦଳାଇଥିଲା। ରୋଭରରେ ଲାଗିଥିବା ନେଭିଗେସନ କ୍ୟାମେରାରୁ ଫଟୋ ନିଆଯାଇପାରୁଛି। ଏହି କ୍ୟାମେରାକୁ ଲାବୋରେଟରୀ ଫର ଇଲେକ୍ଟ୍ରୋ-ଅପଟିକ୍ସ ସିଷ୍ଟମସ୍ (ଏଲଇଓଏସ୍) ତିଆରିଛନ୍ତି। ପ୍ରଜ୍ଞାନ ରୋଭରରେ ଦୁଇଟି ନାଭକ୍ୟାମ ଲାଗିଛି। ବାସ୍ତବରେ ରୋଭରର ମୋଟ ଓଜନ ୨୬ କେଜି। ଏହା ୩ଫୁଟ ଲମ୍ବା ହୋଇଥିବା ବେଳେ ୨ଫୁଟ ପାଞ୍ଚ ଇଞ୍ଚ ଚୌଡା ଓ ଏହା ୨ଫୁଟ ୮ ଇଞ୍ଚ ଉଚ୍ଚାର। ଏଥିରେ ୬ଟି ଚକା ଲାଗିଛି।