ଚନ୍ଦ୍ରପୃଷ୍ଠରେ ଶୋଇପଡିଲା ବିକ୍ରମ ଲ୍ୟାଣ୍ଡର, ୨୨ ସେପ୍ଟେମ୍ବରରେ ଉଠିବ
ବେଙ୍ଗାଲୁରୁ (ସଂକେତ୍ ଟିଭି) ଚନ୍ଦ୍ରର ଦକ୍ଷିଣ ମେରୁରେ ରାତି ହେବା ପରେ ଚନ୍ଦ୍ରଯାନ-୩ ମିଶନର ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ସ୍ଲିପ୍ ମୋଡ ( ସୁପ୍ତାବସ୍ଥା) କୁ ଚାଲିଯାଇଛି । ସୋମବାର ଇସ୍ରୋ ଟୁଇଟ କରି ଏହି ସୂଚନା ଦେଇଛି।
ଇସ୍ରୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛି, ଚନ୍ଦ୍ରଯାନ-୩ ମିଶନର ବିକ୍ରମ ଲ୍ୟାଣ୍ଡକୁ ସକାଳ ପ୍ରାୟ ୮ଟାରେ ସ୍ଲିପ୍ ମୋଡରେ ରଖାଯାଇଛି। ଏହା ପୂର୍ବରୁ ଚସ୍ତେ, ରମ୍ଭା-ଏଲପି ଓ ଆଇଏଲଏସଏ ପେଲୋଡ୍ ନୂଆ ସ୍ଥାନରେ ଇନ୍-ସିଟୁ ପରୀକ୍ଷଣ କରିଥିଲେ। ସେମାନେ ସଂଗ୍ରହ କରିଥିବା ତଥ୍ୟ ପୃଥିବୀକୁ ଆସିଛି।
ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋ ଆହୁରି ମଧ୍ୟ କହିଛି, ପେଲୋଡ୍ କୁ ଏବେ ବନ୍ଦ କରି ଦିଆଯାଇଛି। କିନ୍ତୁ ଲ୍ୟାଣ୍ଡରର ରିସିଭରକୁ ଚାଲୁ ରଖାଯାଇଛି। ଯେତେବେଳେ ସୌର ଶକ୍ତିରୁ ସଂଗ୍ରହ କରାଯାଇଥିବା ବ୍ୟାଟେରୀର ଚାର୍ଜ ସରିଯିବ ସେତେବେଳେ ବିକ୍ରମ ଲାଣ୍ଡର ପ୍ରଜ୍ଞାନ ପାଖରେ ଶୋଇପଡ଼ିବ । ୨୦୨୩ ସେପ୍ଟେମ୍ବର ୨୨ ରେ ସେ ପୁଣି ଥରେ ଉଠିବ ବୋଲି ଆଶା କରାଯାଉଛି।