FeaturedGeneralLatest

‘ଇଣ୍ଡିିଆ’ ନାମକୁ ଝାମ୍ପିନେବ ପାକିସ୍ତାନ, ଆରମ୍ଭ ହେଲାଣି ସଜବାଜ

ନୂଆଦିଲ୍ଲୀ (ସଂକେତ୍ ଟିଭି) ଯଦି ଭାରତ ସମ୍ବିଧାନରୁ ଇଣ୍ଡିଆ ଶବ୍ଦ ହଟାଇ ଦିଆଯାଏ, ତେବେ ପାକିସ୍ତାନ ଏହାକୁ ଝାମ୍ପିନେବାକୁ ଅନାଇ ବସିଛି । ପୂର୍ବରୁ ମଧ୍ୟ ପାକିସ୍ତାନ ଇଣ୍ଡିଆ ନାଁ’କୁ ନେଇ ଦାବି କରିଆସୁଛି । ମିଳିତ ଜାତିସଂଘରେ ଯଦି ଅଫିସିଆଲ ଭାବରେ ‘ଇଣ୍ଡିଆ’ର ନାଁ ରଦ୍ଦ ହୁଏ, ତେବେ ପାକିସ୍ତାନ ଇଣ୍ଡିଆ ନାଁକୁ ନେଇ ଦାବି କରିପାରେ ବୋଲି ପାକିସ୍ତାନର ଗଣାମାଧ୍ୟମ ପକ୍ଷରୁ କୁହାଯାଇଛି । ଏବେ ଭାରତରେ ଚାଲିଥିବା ଆଲୋଚନା ଉପରେ ନଜର ରଖିଛି ପାକିସ୍ତାନ ।

ପାକିସ୍ତାନ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଖୁବଶୀଘ୍ର ମୋଦୀ ସରକାର ଇଣ୍ଡିଆ ନାଁ ବଦଳାଇ ଭାରତ ରଖିପାରନ୍ତି । ଏଥିପାଇଁ ମୋଦୀ ସରକାର ସଂସଦ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଏହି ସ୍ୱତନ୍ତ୍ର ଅଧିବେଶନ ୧୮ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ଯଦି ଭାରତ ସରକାର ଏଥିରେ ସଫଳ ହୁଅନ୍ତି ତେବେ ତୁର୍କୀ ପରେ ଦ୍ୱିତୀୟ ଦେଶ ଭାବେ ଉଭା ହେବ, ଯିଏ ନିଜ ଦେଶର ନାଁ ବଦଳାଇବ ।

ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟକୁ ଉଦ୍ଧାର କରି ସାଉଥ୍ ଏସିଆ ଇଣ୍ଡେକ୍ସ ନାମକ୍ ଏକ୍ସ (ପୂର୍ବ ଟ୍ୱିଟର) ହ୍ୟାଣ୍ଡେଲରେ କୁହାଯାଇଛି ଯେ ଯଦି ଭାରତ ଆନୁଷ୍ଠାନିକ ଭାବରେ ଜାତିସଂଘ ରୁ ‘ଇଣ୍ଡିଆ’ ନାମକୁ ପ୍ରତ୍ୟାହାର କରେ, ତେବେ ପାକିସ୍ତାନ ‘ଇଣ୍ଡିଆ’ ନାମ ଦାବି କରିପାରେ ।

ଆପଣଙ୍କୁ କହିରଖୁଛୁ ଯେ ‘ଇଣ୍ଡିଆ’ ନାମ ସିନ୍ଧୁ (ଇଣ୍ଡସ୍) ଅଞ୍ଚଳକୁ ବୁଝାଉଥିବାରୁ ଓ ଏବେ ସିନ୍ଧୁ ଅବବାହିକା ଅଂଚଳ ପାକିସ୍ତାନରେ ଆସୁଥିବାରୁ ‘ଇଣ୍ଡିଆ’ ନାମ ଉପରେ ପାକିସ୍ତାନ ପୂର୍ବରୁ ହିଁ ଦାବି କରିଆସୁଛି ।

ସ୍ବାଧୀନତା ସମୟରୁ ହିଁ ଭାରତର ନାଁକୁ ଇଣ୍ଡିଆ ରଖିବାକୁ ପାକିସ୍ତାନ ବିରୋଧ କରିଆସୁଥିଲା । ପାକିସ୍ତାନ ପ୍ରତିଷ୍ଠାତା ମହମ୍ମଦ ଅଲ୍ଲି ଜିନ୍ନା ମଧ୍ୟ ଇଣ୍ଡିଆ ନାମ ଭାରତକୁ ପ୍ରଦାନ କରିବାକୁ ବିରୋଧ କରୁଥିଲେ ।