FeaturedLatestNewsPolitics

ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସରୁ ନିଲମ୍ବିତ

ଭୁବନେଶ୍ବର (ସଂକେତ୍ ଟିଭି) : ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି । ଦଳୀୟ ଶୃଙ୍ଖଳ ଭଙ୍ଗ ଅଭିଯୋଗରେ ତାଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଛି । କଂଗ୍ରେସ ଶୃଙ୍ଖଳ କମିଟି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠନ ହୋଇଛି ।

ଦୁଇ ଦିନ ତଳେ ଗଣମାଧ୍ୟମରେ ମନ୍ମଥ ରାଉତରାୟ କଂଗ୍ରେସରୁ ନିର୍ବାଚନ ଲଢ଼ିବି ନାହିଁ ବୋଲି କହିବା ସହ କଂଗ୍ରେସ ସଦସ୍ୟ ହୋଇ ମଧ୍ୟ କଂଗ୍ରେସରେ ନଥିବା ଗଣମାଧ୍ୟମ ଆଗରେ କହିଥିଲେ। ଯେଉଁଥିପାଇଁ ଗତକାଲି କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। କିନ୍ତୁ ମନ୍ମଥ କାରଣ ଦର୍ଶାଅ ନୋଟିସର ଉତ୍ତର ରଖିନଥିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଶୃଙ୍ଖଳା କମିଟି ଅଧକ୍ଷ ସନ୍ତୋଷ ସିଂ ସାଲୁଜା ମନ୍ମଥ ରାଉତରାୟଙ୍କୁ ନିଲମ୍ବନ କରିଥିବା ନେଇ ଜଣାପଡିଛି।

ସେ କିଛି ଦିନ ପୂର୍ବରୁ ଭାରତୀୟ ବିମାନ ଚଳାଚଳ ବିଭାଗରୁ ଇସ୍ତଫା ଦେଇଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କର ଇସ୍ତଫା ଗୃହୀତ ହେବା ପରେ ସେ ସକ୍ରିୟ ରାଜନୀତିରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ଦେଇଥିଲେ । ତା ପୂର୍ବରୁ ଜଟଣୀ ବିଧାନସଭା କ୍ଷେତ୍ରରେ ସେ ସୁର ରାଉତରାୟଙ୍କ ସହ ମିଶି ଜନହିତକର କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ ।

ପୁଅର ନିଲମ୍ବନ ନେଇ ସୁର ରାଉତରାୟ କହିଛନ୍ତି, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କଂଗ୍ରେସ ଦଳର ସଚ୍ଚୋଟ ନେତା ଭାବେ ମୁଁ ଏହାକୁ ଗ୍ରହଣ କରୁଛି । ହେଲେ ଏଥିରେ ମୁଁ ମଧ୍ୟ ଦୁଃଖିତ । କଂଗ୍ରେସ ଦଳ ଆମ କଥା ବିଚାର କରିବେ ବୋଲି ମୁଁ ଆଶା କରୁଛି । ସେ କହିଛନ୍ତି ଯେ, ମୋ ପରିବାରରେ କୌଣସି ମନାନ୍ତର ନାହିଁ । ସାନ ପୁଅ ମନ୍ମଥ ଜଟଣୀରୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବ । ମୁଁ ଯେତେବେଳେ ପୁଅମାନଙ୍କୁ ଯାହା କହିବେ ସେ ନିଶ୍ଚୟ ଶୁଣିବେ ।

କିଛି ଦିନ ପୂର୍ବରୁ ସୁର ରାଉତରାୟ ଆସନ୍ତା ନିର୍ବାଚନରେ ଲଢିବେ ନାହିଁ ଏବଂ ତାଙ୍କ ବଦଳରେ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସରୁ ଲଢିବ ବୋଲି ଘୋଷଣା କରିଥିଲେ । ହେଲେ ଦୁଇ ଦିନ ତଳେ ମନ୍ମଥ ଆଗାମୀ ୨୦୨୪ ନିର୍ବାଚନରେ କଂଗ୍ରେସରୁ ଲଢେବେ ନାହିଁ ବୋଲି ଗଣମାଧ୍ୟମ ଆଗରେ କହିଥିଲେ ।