୧୨ରେ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର (ସଂକେତ୍ ଟିଭି) ଆସନ୍ତା ୧୨ ତାରିଖ ବେଳକୁ ଉତ୍ତରପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ୧୨ ତାରଖରୁ ରାଜ୍ୟରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ ଏବଂ ରାଜ୍ୟରେ ୧୧, ୧୨ ଓ ୧୩ ତାରିଖରେ ପ୍ରବଳ ବର୍ଷା ହେବ । ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ଆଜି ଏହି ସତର୍କ ସୂଚନା ଜାରି କହିଛି ।
ତେବେ ୧୧ ତାରିଖରେ ୨୦ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଥିବା ବେଳେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୦ ଜିଲ୍ଲା ହେଉଛି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢ଼େଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି । ୧୨ ତାରିଖରେ ୧୨ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୨ ଜିଲ୍ଲା ହେଉଛି କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ଢେଙ୍କାନାଳ ଓ ଅନୁଗୋଳ ।
ସେପଟେ ମୌସୁମୀ ନିମ୍ନଚାପ ରେଖା ଆଜି ତାର ସାଧାରଣ ଅବସ୍ଥାନ ଠାରୁ ଦକ୍ଷିଣରେ ରହିବା ସହ ରାଜସ୍ଥାନର ଯଶେଲମେରରୁ ବାହାରି ଅଜମେର, ଗୁନା, ମାଣ୍ଡଲା, ପେନ୍ଦ୍ରାରୋଡ଼, ଝାରସୁଗୁଡା ମଧ୍ୟ ଦେଇ ପଶ୍ଚିମବଙ୍ଗର ଦିଘାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ।