FeaturedGeneralLatest

ଅକ୍ଷରଧାମ ମନ୍ଦିରକୁ ଗଲେ ଋଷି ସୁନକ ଓ ଅକ୍ଷତା ମୂର୍ତ୍ତି

ନୂଆଦିଲ୍ଲୀ (ସଂକେତ୍ ଟିଭି) ଜି-୨୦ ଶିଖର ସମ୍ମିଳନୀ ପାଇଁ ସରକାରୀ ଗସ୍ତରେ ଭାରତ ଆସିଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ରବିବାର ଦିନ ଦିଲ୍ଲୀର ଅକ୍ଷରଧାମ ମନ୍ଦିରରେ ଅଭିଷେକ କରିଛନ୍ତି। ସୁନାକ ରାଜଘାଟ ଯିବା ପୂର୍ବରୁ ଆଜି ସକାଳେ ପତ୍ନୀଙ୍କ ସହ ଅକ୍ଷରଧାମ ମନ୍ଦିରକୁ ଯାଇଥିଲେ।

ଏହା ହେଉଛି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ହେବା ପରଠାରୁ ତାଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ। ଆଜି ସକାଳୁ ଶ୍ରୀ ସୁନାକଙ୍କ ମନ୍ଦିର ପରିଦର୍ଶନ ଦୃଷ୍ଟିରୁ ମନ୍ଦିର ତଥା ଏହାର ଆଖପାଖରେ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସକାଳ ୬.୪୫ ମିନିଟରେ ପ୍ରଧାନମନ୍ତ୍ରୀ ସୁନାକ ମନ୍ଦିରରେ ପହଂଚିବା ପରେ ତାଙ୍କୁ ପାରମ୍ପରିକ ହିନ୍ଦୁ ବିଧି ମତେ ଶୁଭେଚ୍ଛା ଏବଂ ବନ୍ଧୁତ୍ୱର ପ୍ରତୀକ ଭାବରେ ସ୍ୱାଗତ କରାଯାଇଥିଲା। ଏହା ପରେ ଶ୍ରୀ ସୁନାକଙ୍କୁ ମନ୍ଦିରର ବରିଷ୍ଠ ସେବକମାନେ ସ୍ୱାଗତ କରିଥିଲେ। ଏହି ଅବସରରେ ଶ୍ରୀ ସୁନାକ ଏବଂ ତାଙ୍କ ପତ୍ନୀ ମନ୍ଦିରର କଳା ଏବଂ ସ୍ଥାପତ୍ୟକୁ ପ୍ରଶଂସା କରିଥିଲେ।

ସୁନାକ କହିଲେ, ମୁଁ ଜଣେ ଆତ୍ମତୃପ୍ତ ହିନ୍ଦୁ। ମୁଁ ହିନ୍ଦୁ ରୀତିନୀତିରେ ଲାଳିତପାଳିତ ହୋଇଥିଲି ଏବଂ ଏବେ ସେ ରୀତିନୀତି ପାଳନ କରୁଛି। ଅଳ୍ପ ଦିନ ତଳେ ଆମେ ରକ୍ଷାବନ୍ଧନ ପାଳନ କରିଥିଲୁ। ମୋ ଭଉଣୀ ଓ ସମ୍ପର୍କୀୟ ଭଉଣୀମାନେ ରାଖି ପଠାଇଥିଲେ। କିନ୍ତୁ ଜନ୍ମା‌ଷ୍ଟମୀ ପାଳିବା ପାଇଁ ସମୟ ହେଲାନାହିଁ। ଆଶା କରୁଛି ଏବେ ମନ୍ଦିର ଦର୍ଶନ କଲେ ତାହା ପୂରଣ ହୋଇଯିବ।

ହିନ୍ଦୁ କୁଳରେ ଜନ୍ମ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରି ଗତକାଲି ଋଷି କହିଥିଲେ, ଭାରତରେ କୌଣସି ମନ୍ଦିର ଦର୍ଶନ କରିବା ଲାଗି ସମୟ ବାହାର କରିବୁ। ସେ ଆହୁରି ମଧ୍ୟ କହିଥିଲେ କି, ସେ ଓ ତାଙ୍କ ସ୍ତ୍ରୀ ଅକ୍ଷତା ଦିଲ୍ଲୀର କେତେକ ରେସ୍ତୋରାଁକୁ ଖାଇବା ଲାଗି ଯିବା ପାଇଁ ଯୋଜନା କରିଛନ୍ତି, ବିଶେଷ କରି ସେମାନେ ଆଗରୁ ବରାବର ଯାଉଥିବା ରେସ୍ତୋରାଁଗୁଡ଼ିକୁ ଯିବେ।