ସ୍ବାମୀଙ୍କ ମୃତ୍ୟୁ ପରେ କୀଟନାଶକ ପିଇ ଜୀବନ ହାରିଲେ ସ୍ତ୍ରୀ ଓ ଦୁଇ ପିଲା
ବରଗଡ଼ (ସଂକେତ୍ ଟିଭି) କୀଟନାଶକ ପିଇ ଗୋଟିଏ ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ବରଗଡ଼ ଜିଲା ସୋହେଲା ମାଷ୍ଟରପଡ଼ାରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ମୃତକ ମାନେ ହେଲେ ସୋହେଲା ମାଷ୍ଟରପଡ଼ାର ସ୍ବର୍ଗତ ଅର୍ଜୁନ ସାହୁଙ୍କ ପତ୍ନୀ କୁମୁଦିନୀ(୫୦), ପୁଅ ବଂଶୀଧର (୨୫) ଏବଂ ଝିଅ ସୁବର୍ଣ୍ଣ ମହାଜନ( ୨୩) ।
ସୂଚନା ଅନୁସାରେ, ୫ଦିନ ତଳେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଅର୍ଜୁନଙ୍କ ମୃତ୍ୟୁ ହୋଇଥିଲା। ପରିବାର ମୁଖ୍ୟ ଅର୍ଜୁନଙ୍କ ମୃତ୍ୟୁ ପରେ ଏହି ପରିବାର ମାନସିକ ଚାପରେ ଥିଲେ। ରବିବାର ବଂଶୀଧର, ସୁବର୍ଣ୍ଣ ଏବଂ କୁମୁଦିନୀ ବନ୍ଦ କୋଠରୀରେ ଏକ କୀଟନାଶକ ପିଇ ଦେଇଥିଲେ ଏବଂ କବାଟ ଭାଙ୍ଗି ସେମାନଙ୍କୁ ସେହି କୋଠରୀରୁ ଗୁରୁତର ଅବସ୍ଥାରେ ପ୍ରଥମେ ସୋହେଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ସମସ୍ତଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ବରଗଡ଼ ଓ ପରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ରବିବାର ଭୀମସାର୍, ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ସୋହେଲା ମାଷ୍ଟରପଡ଼ାର ସ୍ବର୍ଗତ ଅର୍ଜୁନ ସାହୁଙ୍କ ପୁଅ ବଂଶୀଧର ଏବଂ ଝିଅ ସୁବର୍ଣ୍ଣ ମହାଜନଙ୍କ ମୃତ୍ୟୁ ହୋଇଥିଲା। ସୋମବାର ସକାଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମା’ କୁମୁଦିନୀଙ୍କ ମୃତ୍ୟୁ ହୋଇଛି।
ଘଟଣାକୁ ନେଇ ପୋଲିସର ତଦନ୍ତ ଆରମ୍ଭ ହୋଇଛି । ମାନସିକ ଦୁଶ୍ଚିନ୍ତା କାରଣରୁ ପୁରା ପରିବାର ଜୀବନ ହାରିଥିବା ନେଇ ପୋଲିସ ଅନୁମାନ କରୁଥିବା ବେଳେ ଆତ୍ମହତ୍ୟା ପଛରେ କାରଣ କଣ ରହିଛି ସେନେଇ ତଦନ୍ତ ଜାରି ରହିଛି । ବିବାହିତା ଝିଅ ନିଜର ବାପାଙ୍କ ଦେହାନ୍ତ ପରେ ଶାଶୁ ଘରୁ ନିଜ ଘରକୁ ଆସି ଏପରି ନିଷ୍ପତ୍ତି ନେବା ଘଟଣା ରହସ୍ୟ ଘେରରେ ରହିଛି ।