ଯଯାତି କେଶରୀଙ୍କ ନାମରେ ନାମିତ ହେବ ଯାଜପୁର ମେଡିକାଲ କଲେଜ
ନୂଆଦିଲ୍ଲୀ (ସଂକେତ୍ ଟିଭି) ଯାଜପୁର ମେଡିକାଲ କଲେଜ ଏବଂ ଡାକ୍ତରଖାନାକୁ ଯଯାତି କେଶରୀଙ୍କ ନାମରେ ନାମିତ କରାଯିବ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଆସନ୍ତାବର୍ଷ ଶିକ୍ଷାବର୍ଷରୁ ଏହି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି ।
୫୨୬ କୋଟି ୨୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ମେଡିକାଲ କଲେଜର ୪୬ ଏକର ଯାଗାର କ୍ୟାମ୍ପସ ରହିଛି । ରାଜ୍ୟ ସରକାର ନ୍ୟାସନାଲ ମେଡିକାଲ କମିଶନଙ୍କ ନିକଟରେ ଏଲଓପି ବା ଲେଟର ଅଫ ପରମିଶନ ପାଇଁ ଆବେଦନ କରିଛନ୍ତି । ଆସନ୍ତାଶିକ୍ଷା ବର୍ଷରୁ ୧୦୦ ଏମବିବିଏସ ସିଟ୍ରେ ନାମ ଲେଖା ହେବ । ଯାଜପୁରର ମେଡିକାଲ କଲେଜ କାର୍ୟ୍ୟକ୍ଷମ ହେଲେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସଂଖ୍ୟା ୧୨ରେ ପହଞ୍ଚିବ ।
ପ୍ରାଚୀନ ଓଡିଶାର ପ୍ରସିଦ୍ଧ ସୋମବଂଶୀ ଶାସକ ଯଯାତି କେଶରୀ ଓଡିଶାବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଲିଙ୍ଗରାଜ ମନ୍ଦିର ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ଦିର ନିର୍ମାଣ ସହ ଅଭିନବ ଯାଯନଗର ତଥା ଆଧୁନିକ ଯାଜପୁର ସେତେବେଳର ସୋମବଂଶର ରାଜଧାନୀ ଥିଲା । ତେବେ ଏହି ମେଡିକାଲ କଲେଜକୁ ଯଯାତି କେଶରୀଙ୍କ ନାମରେ ନାମିତ କରିବା ପାଇଁ ଯାଜପୁରବାସୀ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ।