ବାଚସ୍ପତି ନିର୍ବାଚନକୁ ବୟକଟ୍ କରିବ କଂଗ୍ରେସ
ଭୁବନେଶ୍ୱର (ସଂକେତ୍ ଟିଭି) ନୂଆଖାଇରେ ଛୁଟି ନଦେଇ ରାଜ୍ୟ ସରକାର ବାଚସ୍ପତି ନିର୍ବାଚନ କରୁଥିବାରୁ କଂଗ୍ରେସ ଏହାକୁ ବୟକଟ୍ କରିଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହା କହିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସର କୌଣସି ବି ବିଧାୟକ ବାଚସ୍ପତି ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ ।
ନରସିଂହ କହିଛନ୍ତି ଯେ ନୂଆଁଖାଇ ହେଉଛି ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ପର୍ବ । ଦୁଇ ଦିନ ନୂଆଁଖାଇ ପାଳନ କରାଯାଇଥାଏ। ନୂଆଁଖାଇ ଓ ନୂଆଁଖାଇର ପରଦିନ ଏହି ପର୍ବ ପଶ୍ଚିମ ଓଡିଶାରେ ପାଳନ ହୋଇଥାଏ। ସେଥିପାଇଁ ଦୁଇ ଦିନ ଛୁଟି ହୋଇଥାଏ। ଦୁର୍ଭାଗ୍ୟର କଥା ହେଉଛି ରାଜ୍ୟ ସରକାର ଏଥର ବାଚସ୍ପତି ନିର୍ବାଚନ ପାଇଁ ୨୧ ତାରିଖରେ ବିଧାନସଭା ଡାକିଛନ୍ତି। ଏହାର ପ୍ରତିବାଦ କରାଯିବା ପରେ ବି ସେମାନେ କର୍ଣ୍ଣପାତ କରି ନାହାନ୍ତି। ରାଜ୍ୟ ସରକାର ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ନୂଆଖାଇରେ ଛୁଟି ନଦେଇ ପଶ୍ଚିମ ଓଡିଶାର ଭାବାବେଗ ସହ ରାଜ୍ୟ ସରକାର ଖେଳ ଖେଳୁଛନ୍ତି ବୋଲି ସେ କହିଛନ୍ତି ।