ଅନଲାଇନ୍ ପଞ୍ଜି ସ୍କିମ୍ ମାମଲାରେ ଗୋବିନ୍ଦାଙ୍କୁ ଜେରା କରିବ ଓଡ଼ିଶା ପୋଲିସ
ଭୁବନେଶ୍ୱର (ସଂକେତ୍ ଟିଭି) ହଜାରେ କୋଟିରୁ ଅଧିକ ଟଙ୍କାର ସୋଲାର ଟେକ୍ନୋଲୋଜି ଆଲିଆନ୍ସ (ଏସଟିଏ) ଅନଲାଇନ୍ ପଞ୍ଜି ସ୍କିମ୍ ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗୋବିନ୍ଦାଙ୍କୁ ଜେରା କରିବ ।
ଗତ ଜୁଲାଇରେ ଗୋଆରେ ସୋଲାର ଟେକନୋ ଆଲିଆନ୍ସ (ଏସଟିଏ) ଗ୍ରାଣ୍ଡ ଲଞ୍ଚରେ ଗୋବିନ୍ଦା ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ଠକ ସଂସ୍ଥାରେ ବିନିଯୋଗ ପାଇଁ ଗୋବିନ୍ଦା ଲୋକଙ୍କୁ ଉତ୍ସାହିତ କରିଥିଲେ। ତେବେ ଗୋବିନ୍ଦଙ୍କୁ ପଚରା ଉଚୁରା ପରେ ଜଣା ପଡ଼ିବ ତାଙ୍କର ଏଥିରେ କଣ ଭୂମିକା ରହିଛି।
ତାଙ୍କୁ କଣ କହି ଏଥିରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଥିଲା। କେତେ ଟଙ୍କା ନେଇଥିଲେ। ଏହା ଏକ ଠକେଇ ସଂସ୍ଥା ବୋଲି ସେ ଜାଣି ଥିଲେ କି। ଏଭଳି ପ୍ରଶ୍ନ ପଚରା ଯିବ। ତେବେ ଏବେ ସେ ଅଭିଯୁକ୍ତ ନୁହନ୍ତି ବୋଲି ଇଓଡବ୍ଲୁ ଆଇଜି ଜୟନାରାଣ ପଙ୍କଜ ସୂଚନା ଦେଇଛନ୍ତି। ଏସଟିଏ କମ୍ପାନି ଭଦ୍ରକ, କେନ୍ଦୁଝର, ବାଲେଶ୍ବର, ମୟୂରଭଞ୍ଜ ଏବଂ ଭୁବନେଶ୍ୱରର ୧୦,୦୦୦ ଲୋକଙ୍କଠାରୁ ୩୦ କୋଟି ଟଙ୍କା ସଂଗ୍ରହ କରିଛି। ଏଥିସହିତ ବିହାର, ଉତ୍ତରପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ହରିୟାଣା, ଦିଲ୍ଲୀ, ଝାଡଖଣ୍ଡ ସମେତ ଅନ୍ୟାନ୍ୟ ରାଜ୍ୟରେ ନିବେଶକ ଏହି ସଂସ୍ଥାରେ ଲକ୍ଷ ଲକ୍ଷ ଟଙ୍କା ଜମା କରିଛନ୍ତି।
କମ୍ପାନିର କଣ୍ଟ୍ରି ଏବଂ ଓଡ଼ିଶା ମୁଖ୍ୟ ଗୁରୁତେଜ ସିଂ ସିଦ୍ଧୁ ଏବଂ ନିରୋଦ ଦାସଙ୍କୁ ଅଗଷ୍ଟ ୭ରେ ଇଓଡବ୍ଲ୍ୟୁ ଗିରଫ କରିଛି। ଏଥିସହିତ ସିଦ୍ଧୁଙ୍କ ସହ ଲିଙ୍କ ଥିବାରୁ ଭୁବନେଶ୍ୱରର ନିବେଶ ପରାମର୍ଶଦାତା ରତ୍ନାକର ପାଲଙ୍କୁ ମଧ୍ୟ ଅଗଷ୍ଟ ୧୬ ରେ ଗିରଫ କରାଯାଇଥିଲା। ହଙ୍ଗେରୀ ନାଗରିକ ତଥା କମ୍ପାନି ମୁଖ୍ୟ ଡେଭିଡ ଗେଜଙ୍କ ବିରୋଧରେ ଲୁକଆଉଟ ସର୍କୁଲାର ଜାରି କରାଯାଇଥିଲା।