ରାଜ୍ୟରେ ଆତଙ୍କ ସୃଷ୍ଟି କରିଛି ସ୍କ୍ରବ୍ ଟାଇଫସ୍ ରୋଗ
ଭୁବନେଶ୍ବର (ସଂକେତ୍ ଟିଭି) ସ୍କ୍ରବ୍ ଟାଇଫସ୍ ରୋଗ ରାଜ୍ୟରେ ଆତଙ୍କ ସୃଷ୍ଟି କରିଛି । ସ୍କ୍ରବ ଟାଇଫସ୍ ଏକ କୀଟ ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ବଢିବାରେ ଲାଗିଛି । ଘାସ, ବଣବୁଦା ତଥା ମୂଷାଙ୍କ ଶରୀରରେ ଏହି କୀଟ ଚିହ୍ନଟ କରାଯାଇଛି। ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ତୀବ୍ର ଜ୍ବର ସାଙ୍ଗକୁ ମୁଣ୍ଡ ବୁଲାଇବା, ମାଂସପେଶୀ ଦରଜ ହୋଇଥାଏ। କୀଟ କାମୁଡ଼ିଥିବା ସ୍ଥାନର ଚର୍ମ କୁଣ୍ଡେଇ ହେବା ସହ କିଛି ସମୟ ପରେ କଳା ପଡ଼ିଯାଏ। ପରେ ପରେ ରୋଗୀ ଜ୍ବରରେ ପଡ଼େ। ଜ୍ୱର କିମ୍ବା ଶରୀରିକ ପୀଡ଼ା ଆରମ୍ଭ ହେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ କୁହାଯାଇଛି।
ସ୍କ୍ରବ୍ ଟାଇଫସ୍କୁ ଦୃଷ୍ଟିରେ ରଖି ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ମୁଖ୍ୟ ଡାକ୍ତରଖାନା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ଡାକ୍ତରଖାନାରେ ନିଦାନ ତଥା ସର୍ଭିଲାନ୍ସ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଡାକ୍ତରଖାନାରେ ଡିପିଏଚ୍ଏଲ୍ ପରୀକ୍ଷା ବ୍ୟବସ୍ଥା କରାଯିବ। ପରୀକ୍ଷା ପାଇଁ କିଟ୍ ମଧ୍ୟ ଉପଲବ୍ଧ କରାଯିବ। ଏହାର ବ୍ୟବହାର ସମ୍ପର୍କରେ ଡାକ୍ତରମାନଙ୍କୁ ସଚେତନ କରାଯିବା ସହ ରୋଗୀଙ୍କ ପାଇଁ ଡାକ୍ତରଖାନାରେ ଆଗୁଆ ଔଷଧ ମହଜୁଦ ରଖାଯିବାକୁ କୁହାଯାଇଛି।
କେନ୍ଦୁଝର ଜିଲ୍ଲାରେ ୮୮୭ ରକ୍ତ ନମୁନା ପରୀକ୍ଷା ହୋଇଥିବା ବେଳେ ୩୩୪ ଜଣଙ୍କର ସ୍କ୍ରବ୍ ଟାଇଫସ୍ ପଜିଟିଭ ଆସିଥିବା ଜଣାପଡ଼ିଛି। ଏ ନେଇ କେନ୍ଦୁଝକ ସିଡିଏମଓ ସୂଚନା ଦେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୫ରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଜିଲ୍ଲାର ଅନ୍ୟ ଡାକ୍ତାରଖାନରେ ଏହି ସ୍କ୍ରବ୍ ଟାଇଫସ୍ ରୋଗୀ ଚିକିତ୍ସିତ ହେଉଛନ୍ତି। ସେହିପରି ସୁନ୍ଦରଗଡ ଜିଲ୍ଲାରେ ଗତକାଲି ଗୋଟିଏ ଦିନରେ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୧୬୨ରେ ପହଞ୍ଚିଛି।