ଶୀଘ୍ର ପାକ୍ ଅଧିକୃତ କଶ୍ମୀର ଛାଡ, ଜାତିସଂଘରେ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ
ନୂଆଦିଲ୍ଲୀ (ସଂକେତ୍ ଟିଭି) ସୀମାପାରି ଆତଙ୍କବାଦ ବନ୍ଦ କର, ନିଜ ଦେଶରେ ଥିବା ଆତଙ୍କବାଦ ଭିତ୍ତିଭୂମି ହଟାଅ ଓ ବେଆଇନ ଭାବେ ଦଖଲ କରିଥିବା ଭାରତୀୟ ଅଞ୍ଚଳ ଖାଲି କର । ଶୁକ୍ରବାର ଦିନ ଜାତିସଂଘରେ ଭାରତ ପାକିସ୍ତାନକୁ କଡ଼ା ଭାଷାରେ ଏହା କହିଛି ।
ନ୍ୟୁୟର୍କରେ ଜାତିସଂଘର ମହାସଭାର (ୟୁଏନ୍ଜିଏ) ୭୮ତମ ଅଧିବେଶନରେ ଯୋଗଦେଇ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଅନଓ୍ବର ଉଲ ହକ କକ୍କର କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଭାରତ ଏହାର କଡା ଜବାବ ରଖିଛି ।
ପାକିସ୍ତାନ ଅନ୍ତର୍ଜାତିକ ଫୋରମର ଅପବ୍ୟବହାର କରିବା ସହ ନୂଆଦିଲ୍ଲୀ ବିରୋଧୀ ଆଭିମୁଖ୍ୟ ପ୍ରକାଶ କରୁଛି ବୋଲି ଭାରତ କହିଛି । କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀର, ଲଦାଖ ଭାରତର ଏକ ଅବିଚ୍ଛେଦ ଅଙ୍ଗ । ଆମ ଅଭ୍ୟନ୍ତରୀଣ ବ୍ୟାପାରରେ ଟିପ୍ପଣୀ ଦେବା ପାଇଁ ପାକିସ୍ତାନର ଅଧିକାର ନାହିଁ ବୋଲି ଜାତିସଂଘରେ ଭାରତ ଫାଷ୍ଟ ସେକ୍ରେଟାରୀ ପେଟାଲ ଗେହଲଟ କହିଛନ୍ତି ।
ସେ କହିଛନ୍ତି- ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରର ପାକିସ୍ତାନର ଏହି ସବୁ କାର୍ଯ୍ୟକଳାପ ବନ୍ଦ ହେବାର ଆବଶ୍ୟକତା ରହିଛି । ତୁରନ୍ତ ପାକିସ୍ତାନ ନିଜର ଆତଙ୍କବାଦୀ କ୍ରିୟାକଳାପ ବନ୍ଦ କରୁ । ପାକ୍ ଅଧିକୃତ ଅଞ୍ଚଳ ତୁରନ୍ତ ଖାଲି କରୁ । ଆହୁରି ମଧ୍ୟ, 26/11 ମୁମ୍ବାଇ ଆକ୍ରମଣର ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପାକିସ୍ତାନ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗେହଲଟ ଦାବି କରିଛନ୍ତି ।