FeaturedGeneralLatest

ନିଦରୁ ଉଠୁନାହାନ୍ତି ବିକ୍ରମ ଲ୍ୟାଣ୍ଡର ଓ ରୋଭର ପ୍ରଜ୍ଞାନ

ବେଙ୍ଗାଲୁରୁ (ସଂକେତ୍ ଟିଭି) ଗତକାଲି (ଶୁକ୍ରବାର)ଠାରୁ ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟକିରଣ ପଡ଼ିବା ପରେ ମଧ୍ୟ ନିଦରୁ ଉଠୁନାହାନ୍ତି ବିକ୍ରମ ଲ୍ୟାଣ୍ଡର ଓ ରୋଭର ପ୍ରଜ୍ଞାନ । ଇସ୍ରୋ ପକ୍ଷରୁ ବିକ୍ରମ ଓ ପ୍ରଜ୍ଞାନ ସହିତ ଯୋଗାଯୋଗ କରିବା ଲାଗି ଉଦ୍ୟମ କରୁଥିଲେ ମଧ୍ୟ ସେପଟୁ କୌଣସି ସଙ୍କେତ ମିଳୁନାହିଁ ।

ଚନ୍ଦ୍ରପୃଷ୍ଠରେ ଅତ୍ୟଧିକ ଥଣ୍ଡା କାରଣରୁ ବ୍ୟାଟେରୀରେ ଇନ୍ଧନ କଠିନ ଅବସ୍ଥାରେ ରହିଛନ୍ତି । ଏଣୁ ବିକ୍ରମ ଓ ପ୍ରଜ୍ଞାନ ସକ୍ରିୟ ହୋଇପାରୁନି । ସୋଲାର ପ୍ୟାନେଲରେ ଖରା ପଡ଼ିଲେ ଏଥିରେ ଶକ୍ତି ଉତ୍ପନ୍ନ ହୁଏ । ଏହା ବ୍ୟାଟେରୀକୁ ଚାର୍ଜ କରେ । କିନ୍ତୁ ବ୍ୟାଟେରୀରେ ଥିବା ଇନ୍ଧନ ବି ୨୫୦ ଡିଗ୍ରୀରେ କଠିନ ହୋଇଯାଇଥାଏ । ତେଣୁ ଏହା ଚାର୍ଜ ହୋଇପାରୁନି । ଯାହାଫଳରେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ସକ୍ରିୟ ହୋଇପାରୁନାହିଁ । ଆଉ ଗୋଟେ ଦିନ ଅପେକ୍ଷା କରିବାକୁ ପଡ଼ିବ ।

ଚନ୍ଦ୍ରଯାନର ସଫ୍ଟ ଲ୍ୟାଣ୍ଡିଂର ପ୍ରଥମ ୧୨ ଦିନରେ ସମସ୍ତ ଗବେଷଣା ଶେଷ ହୋଇଛି । ଏବେ ସକ୍ରିୟ ହେଲେ ସେହି ଗବେଷଣାର ରିପିଟ ହେବ । ଆଉ କିଛି ନୂଆ ଗବେଷଣା ହୋଇଥାନ୍ତା । କିନ୍ତୁ ବିକ୍ରମ ଓ ପ୍ରଜ୍ଞାନ ସକ୍ରିୟ ହେବା ଉପରେ ସବୁ କିଛି ନିର୍ଭର କରୁଛି ।

ଯେତେବେଳେ ସେପ୍ଟେମ୍ବର 2 ତାରିଖରେ ଚନ୍ଦ୍ରପୃଷ୍ଠରେ ରାତି ହୋଇଥିଲା, ସେତେବେଳେ ଲ୍ୟାଣ୍ଡର ଓ ରୋଭରକୁ ସ୍ଲିପମୋଡରେ ରଖାଯାଇଥିଲା । ସେତେବେଳେ ଉଭୟ ବ୍ୟାଟେରୀରେ ସମ୍ପୂର୍ଣ୍ଣ ଚାର୍ଜ ଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଥିଲା । ସେପଟେ ଶୁକ୍ରବାର ଦିନ ପୁଣି ଥରେ ସୂର୍ଯ୍ୟକିରଣ ଚନ୍ଦ୍ରପୃଷ୍ଠରେ ପଡ଼ିଛି । କିନ୍ତୁ ସୋଲାର ପ୍ୟାନେଲରେ ଶକ୍ତି ଉତ୍ପନ୍ନ ନ ହେବା ଏବଂ ବ୍ୟାଟେରୀ ଚାର୍ଜ ନହେବା ସମସ୍ତ ବୈଜ୍ଞାନିକମାନଙ୍କୁ ଭାବିବାକୁ ବାଧ୍ୟ କରିଛି । ଆଉ ଦିନେ ଅପେକ୍ଷା କରିବା ପରେ ଯଦି କୌଣସି ସିଗ୍ନାଲ ନ ଆସେ ତେବେ ଏହାକୁ ଡେଡ୍‌ ବୋଲି ଇସ୍ରୋ କର୍ତ୍ତୃପକ୍ଷ ଘୋଷଣା କରିପାରନ୍ତି ।