FeaturedGeneralLatest

ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ପଞ୍ଜାବରେ ଥିବା ସମ୍ପତ୍ତି ଜବତ କଲା ଏନଆଇଏ

ନୂଆଦିଲ୍ଲୀ (ସଂକେତ୍ ଟିଭି) ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ଖଲିସ୍ତାନ ସମର୍ଥକ ତଥା ନିଷିଦ୍ଧ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫଜେ)ର ସଦସ୍ୟ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁଙ୍କ ଚଣ୍ଡିଗଡ଼ ଓ ଅମୃତସରରେ ଥିବା ସମ୍ପତ୍ତିକୁ ଜବତ କରିଛି। ପନ୍ନୁ ଅମୃତସରର ବାସିନ୍ଦା ଏବଂ ଭାରତ ତାଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ଘୋଷଣା କରିଛି।

ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ଅମୃତସର ଜିଲ୍ଲା ଉପକଣ୍ଠରେ ଥିବା ପନ୍ନୁଙ୍କ ପୈତୃକ ଗ୍ରାମ ଖାନକୋଟରେ ୪୬ କେନାଲ କୃଷି ସମ୍ପତ୍ତି ବି ରହିଛି। ଏନଆଇଏ ଦ୍ୱାରା ଜବତ ହୋଇଥିବା ପନ୍ନୁର ଆଉ ଏକ ସମ୍ପତ୍ତି ହେଉଛି ଚଣ୍ଡିଗଡ଼ର ସେକ୍ଟର ୧୫-ସିରେ ଥିବା ତାଙ୍କ ଘର ନମ୍ବର ୨୦୩୩ ।

ଉଭୟ କାନାଡା ଓ ଆମେରିକାର ନାଗରିକତା ନେଇଥିବା ପନ୍ନୁ ନିୟମିତ ଭାବେ ଭାରତ ବିରୋଧୀ ପ୍ରଚାର ଚଳାଇଥାଏ ।ବିଦେଶରେ ଥିବା ଭାରତୀୟ ଦୂତାବାସ ଓ କନସୁଲେଟ ଆକ୍ରମଣ ପଛରେ ବି ପନ୍ନୁର ହାତ ଥିବା ଏନଆଇଏ କହିଛି ।

୨୦୧୯ ଜୁଲାଇ ୧୦ତାରିଖରେ ଭାରତ ସରକାର ଏସ୍ଏଫଜେକୁ ଏକ ବେଆଇନ ସଂଗଠନ ଘୋଷଣା କରିବା ସହ ଏହାକୁ ୫ ବର୍ଷ ପାଇଁ ନିଷିଦ୍ଧ କରିଥିଲେ। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ୧୯୬୭ର ଧାରା ୩୩(୫) ଅନୁଯାୟୀ ପନ୍ନୁର ସ୍ଥାବର ସମ୍ପତ୍ତି ଜବତ କରିବା ପାଇଁ ଏନଆଇଏ ଏକ ସ୍ୱତନ୍ତ୍ର ଅଦାଲତର ଦ୍ୱାରସ୍ଥ ହୋଇଥିଲା। ସମ୍ପତ୍ତି ଅଧିଗ୍ରହଣ କରିବା ପାଇଁ ମୋହାଲିର ଏସଏଏସ ନଗରରେ ଥିବା ସ୍ୱତନ୍ତ୍ର ଏନଆଇଏ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ସମ୍ପତ୍ତିଗୁଡ଼ିକ ସରକାରଙ୍କ ଖାତାକୁ ଚାଲି ଯାଇଛି।