କମିଛି ରାଜ୍ୟର ଋଣ ଭାର, ସୁଧୁରୁଛି ଅର୍ଥ ବ୍ୟବସ୍ଥା
ଭୁବନେଶ୍ବର (ସଂକେତ୍ ଟିଭି) ରାଜ୍ୟର ଋଣ ଭାର କମିଛି । ଗତ ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟରେ ରାଜ୍ୟର ଋଣ ପରିମାଣ ୮୮୪୮୭ କୋଟି ଟଙ୍କା ରହିଛି । ସେହିପରି ମୁଣ୍ଡପିଛା ଋଣଭାର ୧୯୧୭୧ ଟଙ୍କାକୁ ହ୍ରାସ ପାଇଛି । ଯାହା ଅନ୍ୟ ରାଜ୍ୟ ତୁଳନାରେ ବହୁ କମ ରହିଛି । ଏ ଯାଏ ରାଜ୍ୟ ସରକାର ଖୋଲା ବଜାରରୁ ଋଣ କରି ନାହାନ୍ତି । ଓଡିଶା ରାଜ୍ୟ ମହାଲେଖାଗାରଙ୍କ ସୂଚନା ଅନୁଯାୟୀ ରାଜ୍ୟ ସରକାର ଏହି ତଥ୍ୟ ଦେଇଛନ୍ତି ।
ରାଜ୍ୟରେ ବିତ୍ତୀୟ ପରିଚାଳନା ବେଶ ଶୃଙ୍ଖଳିତ । ଫଳରେ ରାଜ୍ୟର ଆର୍ଥିକ ସ୍ଥିତି ଏବଂ ଋଣ ପରିଚାଳନା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଭଲ ସ୍ଥିତିରେ ରହିଛି । ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ରାଜସ୍ବ ଆଦାୟ ପୂର୍ବବର୍ଷ ତୁଳନାରେ ୧୯ ପ୍ରତିଶତ ଅଧିକ ଅଭିବୃଦ୍ଧି ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷର ଅଗଷ୍ଟ ସୁଦ୍ଧା ରାଜ୍ୟରେ ନିଜସ୍ବ ରାଜସ୍ବ ସଂଗ୍ରହ ପରିମାଣ ୪୧୨୩୧ କୋଟି ଟଙ୍କା ହୋଇଥିଲା । ପୂର୍ବ ଆର୍ଥିକ ବର୍ଷର ଅଗଷ୍ଟ ମାସ ତୁଳନାରେ ଏହା ୧୨.୯ ପ୍ରତିଶତ । ସେହିପରି ଗତ ଅଗଷ୍ଟ ସୁଦ୍ଧା ରାଜ୍ୟରେ ନିଜସ୍ବ ଟିକସ ରାଜସ୍ବ ସଂଗ୍ରହ ପରିମାଣ ୨୦୧୩୧ କୋଟି ଟଙ୍କା ହୋଇଥିବା ବେଳେ ଏହା ଗତବର୍ଷ ତୁଳନାରେ ୧୪.୫ ପ୍ରତିଶତ ଅଧିକ ରହିଛି । ସେହିପରି ଗତ ଅଗଷ୍ଟ ସୁଦ୍ଧା ନିଜସ୍ବ ଅଣଟିକସ ରାଜସ୍ବ ସଂଗ୍ରହ ପରିମାଣ ୨୧୧୦୦ କୋଟିରେ ପହଞ୍ଚିଛି । ପୂର୍ବବର୍ଷ ଅଗଷ୍ଟ ତୁଳନାରେ ଏହା ୧୧.୫ ପ୍ରତିଶତ ଅଧିକ ବୋଲି ଆକଳନ କରାଯାଇଛି ।
୨୦୨୩-୨୪ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଏଫଆରବିଏମ ଅଧିନିୟମକୁ ଅନୁପାଳନ କରୁଛି । କାରଣ ଏହି ବଜେଟ ଅତିରିକ୍ତ ରାଜସ୍ବ କିମ୍ବା ସଞ୍ଚିତ ସମ୍ବଳର ଉପଲବ୍ଧତା ମଧ୍ୟରେ ପ୍ରସ୍ତୁତ କରାଯାଇଛି । ଏହି ଅତିରିକ୍ତ ବଜେଟ ସହ ରାଜସ୍ୱ ବଳକା ସ୍ଥିତି ବଜାୟ ରହିବ । ବିତ୍ତୀୟ ନିଅଣ୍ଟ ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ ବା ଜିଏସଡିପିର ୩ ପ୍ରତିଶତ ମଧ୍ୟରେ ସୀମିତ ରହିବ । ଏଫଆରବିଏମ ଅଧିନିୟମ ଅନୁଯାୟୀ ରାଜ୍ୟର ଋଣଭାର ଜିଏସଡିପିର ୨୫ ପ୍ରତିଶତ ଏବଂ ସୁଧ ଦେୟ ଏବଂ ରାଜସ୍ବ ଆୟର ଅନୁପାତ ୧୫ ପ୍ରତିଶତ ମଧ୍ୟରେ ରହିବା ଆବଶ୍ୟକ । ମହାଲେଖାକାରଙ୍କ ତଥ୍ୟ ଅନୁଯାୟୀ ଗତ ଜୁଲାଇ ଶେଷ ସୁଦ୍ଧା ରାଜ୍ୟର ଋଣ ଭାର ରାଜ୍ୟ ଜିଏସଡିପିର ୧୦.୨୭ ପ୍ରତିଶତ ରହିଛି । ସୁଧ ଦେୟ ଓ ରାଜସ୍ବ ଆୟର ଅନୁପାତ ୧.୯ ପ୍ରତିଶତରେ ସୀମିତ ରହିଛି ।