FeaturedGeneralLatest

୫ଟି ସଚିବଙ୍କ ଗସ୍ତ ନେଇ ଗୃହରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ସଂକେତ୍ ଟିଭି) ବିଧାନସଭାରେ ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ସଚିବଙ୍କ ଗସ୍ତକୁ ନେଇ ଗୃହରେ ବିବୃତ୍ତି ରଖିଛନ୍ତି। ସେ କହିଛନ୍ତି ୨ ବର୍ଷ ଧରି କୋଭିଡ କଟକଣା ଲାଗୁ ରହିବା ଫଳରେ ଅଭିଯୋଗ ସମାଧାନରେ ସମସ୍ୟା ଦେଖାଦେଲା ଏବଂ ଲୋକଙ୍କ ଘର ପାଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନେଇ ପହଞ୍ଚାଇବା ପାଇଁ ମୁଁ ଚିନ୍ତା କଲି। ରାଜ୍ୟର ସବୁ ବ୍ଲକ ଓ ସବୁ ସହରାଞ୍ଚଳରେ କମ୍ ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିପରି ପହଞ୍ଚି ପାରିବ ସେ ଦିଗରେ ଆମେ ପଦକ୍ଷେପ ନେଲୁ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ଏବଂ ମୋ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକେନ୍ଦ୍ରିତ ଅଭିଯୋଗ ଶୁଣାଣି ପରିଚାଳନା କଲେ ।

୬ ମାସ ମଧ୍ୟରେ ରାଜ୍ୟର ୧୯୦ ରୁ ଅଧିକ ସ୍ଥାନରେ ଏହି ଅଭିଯୋଗ ଶୁଣାଣୀ ଆୟୋଜନ କରାଗଲା। ପ୍ରତ୍ୟେକ ଦିନ ୩ ରୁ ୫ଟି ସ୍ଥାନରେ ଅଭିଯୋଗ ଶୁଣାଣୀ ହେଲା ଏବଂ ଏହି ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ଠାରୁ ୫୭୪୪୨ଟି ଦରଖାସ୍ତ ଗ୍ରହଣ କରିଥିଲା ଏବଂ ଆଜି ପର୍ଯ୍ୟନ୍ତ ୪୩୫୩୬ ଦରଖାସ୍ତର ଫୈସଲା କରାଯାଇଛି। ଏହି ସମ୍ପୂର୍ଣ୍ଣ ବ୍ୟବସ୍ଥା ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଦ୍ୱାରା ସ୍ୱଚ୍ଛତାର ସହ ସମ୍ପାଦନ କରାଯାଇଛି। ଏହି ସମସ୍ତ ଦରଖାସ୍ତ ଏବଂ ତା ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ତଥା ଫୈସଲାର ବିଭିନ୍ନ ପର୍ଯ୍ୟାୟର ସମ୍ପୂର୍ଣ୍ଣ ବିବରଣୀ ଜନଶୁଣାଣି ପୋର୍ଟାଲରେ ସ୍ଥାନିତ ହୋଇଛି।

ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସର୍ବଦା ସିଏମଓ ଦ୍ବାରା ପରିଚାଳିତ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀମାନଙ୍କ ଆବଶ୍ୟକତା ନଥାଏ । ଗୋଟିଏ ଅଭିଯୋଗ ଦରଖାସ୍ତ ମିଳିବା ପରେ ଏହାକୁ ସଂପୃକ୍ତ ବିଭାଗକୁ ପଠାଯାଇଥାଏ । ତେଣୁ ଏଥିରେ ମାନ୍ୟବର ମନ୍ତ୍ରୀ ବନାମ ଅଫିସର ପ୍ରସଙ୍ଗ ଉଠୁଛି କେଉଁଠି ?

ଅଭିଯୋଗ ଦରଖାସ୍ତର ବିଭାଗୀୟ ସ୍ତରୀୟ ସମାଧାନରେ ବିଭାଗର ମୁଖ୍ୟ ଭାବରେ ମାନ୍ୟବର ମନ୍ତ୍ରୀମାନେ ସବୁବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି । ଏହା ସର୍ବୋଚ୍ଚ ସ୍ତରରେ ଟିମ୍‌ ୱାର୍କ ଅଟେ ଏବଂ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବୃତ୍ତିଗତ ଭାବରେ ଏହା କରାଯାଇଥାଏ। ଲୋକଙ୍କ ଅଭିଯୋଗର ଯେଭଳି ଠିକ୍‌ ଭାବରେ ସମାଧାନ ହେବ ଏବଂ ଜନସାଧାରଣ ଯେପରି ସର୍ବୋତ୍ତମ ସନ୍ତୁଷ୍ଟି ଲାଭ କରିବେ, ତାହା ହିଁ ଆମର ଲକ୍ଷ୍ୟ ।

ଯଦି ସମସ୍ତ ୫୭ ହଜାର ଅଭିଯୋଗକାରୀ (ତନ୍ମଧ୍ୟରୁ ସଂଖ୍ୟାଧିକ ହେଉଛି ଗୋଷ୍ଠୀଗତ ଅଭିଯୋଗ) ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥାନ୍ତେ, ଯିବା ଆସିବା ଓ ରହଣୀରେ ସେମାନଙ୍କର କେତେ ଖର୍ଚ୍ଚ ହୋଇଥାନ୍ତା ? ସେମାନେ କେତେ ମଜୁରୀ ହରାଇ ଥାନ୍ତେ? ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଜନସାଧାରଣଙ୍କ ଘରପାଖକୁ ଯାଇ ଅଭିଯୋଗ ସଂଗ୍ରହ କରିଥିବାରୁ, ଜନସାଧାରଣଙ୍କ ଅର୍ଥ ଓ ସମୟ ବଞ୍ଚିପାରିଛି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତିକୁ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, ଆମେ ଯେଉଁ ପ୍ରଶ୍ନ କରୁଛୁ ତାର ଉତ୍ତର ନ ଦେଇ ମୁଖ୍ୟମନ୍ତ୍ରୀ ତାଙ୍କ ଆଡୁ ଗ୍ରିଭାନ୍ସ କେବେ ହୋଇଥିଲା କହୁଛନ୍ତି। ଆମେ ତାଙ୍କୁ କଣ ତାହା ପଚାରିଥିଲୁ? ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ଦେଖା କରନ୍ତିନି, ଲୋକଙ୍କୁ କଣ ଦେଖା କରିବେ ଗ୍ରିଭାନ୍ସ ଶୁଣିବେ? ଆମେ ତାହା ପଚାରିନଥିଲୁ। ତୁମକୁ କେଉଁ ସଚିବ କହିଥିବ, ତେଣୁ ତୁମେ ନିଜ ଆଡୁ ଆସି ବିବୃତି ରଖିଛ।