ଛାତ କଣା କରି ଫିଲ୍ମ ଷ୍ଟାଇଲରେ ୨୫ କୋଟିର ଅଳଙ୍କାର ଲୁଟି ନେଲେ ଦୁର୍ବୁତ୍ତ
ନୂଆଦିଲ୍ଲୀ (ସଂକେତ୍ ଟିଭି) ଦିଲ୍ଲୀର ଜଙ୍ଗପୁରା ଅଞ୍ଚଳରେ ଥିବା ଏକ ଅଳଙ୍କାର ଶୋ ରୁମ୍ରୁ ଲୁଟେରା ଫିଲ୍ମ ଷ୍ଟାଇଲରେ ପ୍ରାୟ ୨୫ କୋଟି ମୂଲ୍ୟର ସୁନାରୁପା ଅଳଙ୍କାର ଲୁଟ୍ କରିଛନ୍ତି। ଚୋର ଶୋରୁମ୍ର କାନ୍ଥ ଖୋଳି ଶୋରୁମ୍ ଓ ଷ୍ଟ୍ରଙ୍ଗ୍ ରୁମ୍ରେ ପଶିଥିଲେ।
ସୂଚନା ଅନୁସାରେ, ଦିଲ୍ଲୀର ଜଙ୍ଗପୁରା ଅଞ୍ଚଳରେ ସ୍ଥିତ ଉମରାଓ ଜୁଏଲାରୀକୁ ଟାଗେର୍ଟ କରି ଲୁଟେରା ରବିବାର ବିଳମ୍ବିତ ରାତିରେ ଛାତ ବାଟରେ କାନ୍ଥ କାଟି ଶୋ ରୁମ୍ ମଧ୍ୟକୁ ପ୍ରବେଶ କରିଥିଲେ। ରବିବାର ଦୋକାନ ବନ୍ଦ କରି ଯିବାବେଳେ ସବୁକିଛି ଠିକ୍ ଥିଲା। ସୋମବାର ଛୁଟି ଥାଏ । ମଙ୍ଗଳବାର ସକାଳେ ଯେତେବେଳେ ଶୋରୁମ୍ ଖୋଲାଯାଇଥିଲା, ସେତେବେଳେ ଶୋରୁମ୍ର ଅବସ୍ଥା ଦେଖି ସମସ୍ତେ ଚକିତ ହୋଇପଡ଼ିଥିଲେ। ଶୋରୁମ୍ର ଷ୍ଟ୍ରଙ୍ଗ୍ ରୁମ୍ ପାଖରେ ଏକ ବଡ଼ ଛିଦ୍ର ହୋଇଥିଲା। ଛାତ ଏବଂ କାନ୍ଥ କଣା କରିବା ପରେ ଚୋର ଭିତରକୁ ପଶିଥିଲେ। ଅତି ଚତୁରତାର ସହ ଏହି ଚୋରମାନେ ଶୋରୁମ୍ରୁ ସୁନା-ହୀରା ସବୁ ଲୁଟ୍ କରିଥିଲେ। ଶୋରୁମ୍ ମାଲିକଙ୍କ ଅନୁଯାୟୀ ପ୍ରାୟ ୨୦ରୁ ୨୫ କୋଟିର ଚୋରି ହୋଇଛି।
ନିଜାମୁଦ୍ଦିନ୍ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି। ଚୋରମାନେ ଚୋରୀ କରିବା ପୂର୍ବରୁ ସବୁ ସିସିଟିଭି କନେକ୍ସନକୁ କାଟି ଦେଇଥିବା ଜଣାପଡିଛି । ତେବେ ପୋଲିସ ଆଖ ପାଖର ଲୋକ ଏବଂ ଶୋରୁମ୍ ଷ୍ଟାଫ୍ଙ୍କୁ ପଚରାଉଚରା କରୁଛି।