FeaturedGeneralLatest

ଗୋଶାଳାରୁ ଗାଈମାନଙ୍କୁ କଂସେଇକୁ ବିକ୍ରି କରୁଛି ଇସ୍କନ : ମେନକା ଗାନ୍ଧୀ

ନୂଆଦିଲ୍ଲୀ (ସଂକେତ୍ ଟିଭି) ଇସ୍କନ ନିଜ ଗୋଶାଳାରୁ ଗାଈମାନଙ୍କୁ କଂସେଇକୁ ବିକ୍ରି କରି ଦେଉଛି । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ତଥା ପଶୁପ୍ରେମୀ ମେନକା ଗାନ୍ଧି । ସେପଟେ ଏହି ଅଭିଯୋଗକୁ ଭିତ୍ତିହୀନ ଓ ମିଥ୍ୟା ବୋଲି କହିଛି ଇସ୍କନ ।

ମେନକା ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ଇସ୍କନ ନିଜ ଗୋଶାଳାରୁ ଗାଈମାନଙ୍କୁ କଂସେଇକୁ ବିକ୍ରି କରି ଦେଉଛି । ଏପରିକି ଇସ୍କନ ଯେତେ ଗାଈ ବିକ୍ରି କରୁଛନ୍ତି, ଅନ୍ୟ କେହି ବିକ୍ରି କରୁ ନ ଥିବା କହିଛନ୍ତି। ଗୋଶାଳା କରିବା ନିମନ୍ତେ ଇସ୍କନ ସରକାରଙ୍କଠାରୁ ବହୁ ଜମି ହାତେଇଛି । ସେ ଆହୁରୁ ବି କହିଛନ୍ତି କିଛି ଦିନ ତଳେ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଗୋଶାଳା ପରିଦର୍ଶନ କରିଥିଲେ ।

ସେଠାରେ ଗୋଟିଏ ବି ବୁଢ଼ି ଗାଈ କି ବାଛୁରୀ ନାହାନ୍ତି । ଫଳରେ ସେମାନେ ସବୁ ଗାଈ ବିକ୍ରି କରି ଦେଉଥିବା ସ୍ପଷ୍ଟ ହେଉଛି । ଯେତିକି ଗାଇ ଅଛନ୍ତି ସମସ୍ତେ କ୍ଷୀର ଦେଉଛନ୍ତି । ତେଣୁ ଏମାନେ ଯେତେ ଗାଈ ବିକୁଛନ୍ତି, ସେତିକି ଗାଈ ଆଉ କେହି ବିକ୍ରି କରୁନାହାଁନ୍ତି। ମେନକାଙ୍କ ଏହି ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି ।

ସେପଟେ ଇସ୍କନ ପକ୍ଷରୁ ମେନକା ଗାନ୍ଧିଙ୍କ ସମସ୍ତ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି କୁହାଯାଇଛି । ଇସ୍କନ ପକ୍ଷରୁ ଟ୍ୱିଟ କରି କୁହାଯାଇଛି, ଇସ୍କନ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଗାଈ ଓ ବଳଦଙ୍କୁ ସୁରକ୍ଷା ଯୋଗାଇବା ସହ ସେମାନଙ୍କ ଯତ୍ନ ନେଇଥାଏ। ଏଠାରେ କୌଣସି ଗାଈଙ୍କୁ କଂସେଇକୁ ବିକ୍ରି କରାଯାଏ ନାହିଁ। ଇସ୍କନ ଭାରତରେ କେବଳ ୬୦ରୁ ଅଧିକ ଗୋଶାଳା ଚଳାଇଛି। ବହୁ ଗାଈଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରାଯାଇ ଇସ୍କନ ଗୋଶାଳାକୁ ଅଣାଯାଇ ସେମାନଙ୍କ ଚିକିତ୍ସା କରାଯାଇଥାଏ ।