ବିଜେପିରେ ମିଶିଲେ ପୂର୍ବତନ ବିଜେଡି ସାଂସଦ ଅର୍କ କେଶରୀ ଦେଓ
ଭୁବନେଶ୍ବର (ସଂକେତ୍ ଟିଭି) କଳାହାଣ୍ଡିର ପୂର୍ବତନ ବିଜେଡି ସାଂସଦ ଅର୍କ କେଶରୀ ଦେଓ ବିଜେପିରେ ସାମିଲ ହୋଇଛନ୍ତି । ଏଥିସହ ତାଙ୍କ ପତ୍ନୀ ମାଳବୀକା ଦେବୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱରରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଅର୍କ ଓ ମାଳବିକା ବିଜେପିରେ ଯୋଗଦାନ କରିଥିବା ଜଣାପଡ଼ିଛି । ୨୦୧୪ ଲୋକସଭା ନିର୍ବାଚନରେ ଅର୍କ କଳାହାଣ୍ଡି ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ଏହାସହ ମଦନପୁର ରାମପୁର ରାଜ ପରିବାରର ତନ୍ମୟ ପ୍ରତାପ ସିଂହ ଦେଓ ଓ କୁମାର ସାହେବଙ୍କ ବୋହୂ ତଥା ଆନ୍ତର୍ଜାତିକ ସେରାମିକ ଆର୍ଟିଷ୍ଟ ପୃଥ୍ବୀରାଜ ସିଂହଦେଓଙ୍କ ପତ୍ନୀ ସଂଯୁକ୍ତା ଦେବୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ଭଦ୍ରକ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ତର ପୂର୍ବତନ ବିଜେଡି ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ ଓ ତାଙ୍କ ସ୍ଵାମୀ ସୁଧାଂଶୁ ଶେଖର ନାୟକଙ୍କ ସହ ଶତାଧିକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି ।