FeaturedGeneralLatest

ଭିଡିଓ କଲରେ ବ୍ୟସ୍ତ ଥିଲେ ଲୋକୋ ପାଇଲଟ, ପ୍ଲାଟଫର୍ମ ଉପରକୁ ମାଡିଗଲା ଟ୍ରେନ

ଲକ୍ଷ୍ନୌ (ସଂକେତ୍ ଟିଭି) ମୋବାଇଲ ଧରି ଭିଡିଓ କଲରେ ବ୍ୟସ୍ତ ଥିଲେ ଟ୍ରେନର ଲୋକୋ ପାଇଲଟ୍ । ଏହି ସମୟରେ ଟ୍ରେନଟି ଲାଇନଚ୍ୟୁତ ହେବା ସହ ପ୍ଲାଟଫର୍ମ ଉପରେ ମାଡି ଯାଇଥିଲା । ଉତ୍ତର ପ୍ରଦେଶ ମଥୁରା ଜଙ୍କସନରେ ବୁଧବାର ରାତିରେ ଏକ ପାସେଞ୍ଜର ଟ୍ରେନ ଏହି ଭଳି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଏହି ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି ।

ଦୁର୍ଘଟଣାଗ୍ରସ୍ତ ଟ୍ରେନର ଲୋକୋ କ୍ୟାବ (ଡ୍ରାଇଭର କ୍ୟାବିନ)ରେ ଲାଗିଥିବା ସିସିଟିଭି ଫୁଟେଜରୁ ଦୁର୍ଘଟଣାର କାରଣ ଲୋକୋ ପାଇଲଟଙ୍କ ତ୍ରୁଟି ପାଇଁ ହୋଇଥିବା ଜଣାପଡିଛି । ଡ୍ରାଇଭରଜଣକ (ଲୋକୋ ପାଇଲଟ) ଭିଡିଓ କଲରେ କଥା ହେଉଥିଲେ । ଅସାବଧାନତା କାରଣରୁ ଏହି ଦୁର୍ଘଟଣା ଘଟିଛି । ଏଥିରେ ସମ୍ପୃକ୍ତ ଲୋକୋ ପାଇଲଟଙ୍କ ସମେତ ମୋଟ 5 ଜଣ ଅଧିକାରୀ ଓ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇ ତଦନ୍ତ ଜାରି ରହିଛି ।

ସିସିଟିଭି ଫୁଟେଜ ଅନୁସାରେ, ଟ୍ରେନଟି ରାତି ପ୍ରାୟ 11 ଟା ସମୟରେ ମଥୁରା ଜଙ୍କସନର 2 ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲା । ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ଯାଇଥିଲେ । ଟ୍ରେନ ଦାୟିତ୍ବରେ ଥିବା ଲୋକୋ ପାଇଲଟ ବାହାରକୁ ଯାଇଥିଲେ । ଅନ୍ୟ ଜଣେ ଲୋକୋ ପାଇଲଟ ଚାର୍ଜ ନେଇଥିଲେ । ସେ ଲୋକ କ୍ୟାବରେ ପ୍ରବେଶ କରିବା ବେଳେ ଅତି ବେପରୁଆ ଢଙ୍ଗରେ ହାତରେ ମୋବାଇଲ ଧରି ଭିଡିଓ କଲରେ ବ୍ୟସ୍ତ ଥିଲେ । ଟ୍ରେନର କଣ୍ଟ୍ରୋଲ ଡେସ୍କରେ ବ୍ୟାଗ ରଖିଥିଲେ । ଡ୍ରାଇଭରଜଣକ କିଛି ବୁଝିବା ପୂର୍ବରୁ ହଠାତ ଟ୍ରେନଟି ଦୃତଗତିରେ ମାଡିଯିବା ସହ ପ୍ଲାଟଫର୍ମ ଉପରକୁ ଚଢିଯାଇଥିଲା । ମାତ୍ର କିଛି ସେକେଣ୍ଡ ମଧ୍ୟରେ ଏ ସବୁ କିଛି ଘଟିଯାଇଥିଲା ।