FeaturedLatestNews

ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ନଦୀକୁ ଡେଇଁ ପଡ଼ିଲା ବାପା

ଭଦ୍ରକ (ସଂକେତ୍ ଟିଭି) ଅଢ଼େଇ ବର୍ଷର ଝିଅକୁ ଧରି ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ବୈତରଣୀ ସେତୁରୁ ନଦୀକୁ ଡେଇଁ ପଡ଼ିଲା ବାପା। ବାପଝିଅଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୯ଟା ସମୟରେ ବାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ ଓ ତାଙ୍କ ନାବାଳିକା ଝିଅ ମଟର ସାଇକେଲରେ ଆସି ପୋଲ ଉପରେ ରହିଥିଲେ। ସେଠାରେ ଚନ୍ଦନ ବାଇକ୍, ମୋବାଇଲ୍ ଓ ଜୋତା ରଖି ବାପଝିଅ ନଦୀକୁ ଡେଇଁ ପଡ଼ିଥିଲେ।

ସ୍ଥାନୀୟ ଲୋକେ ଏନେଇ ପୋଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ବାପଝିଅଙ୍କୁ ଆଖପାଖରେ ଖୋଜି ଖୋଜି କରିଥିଲେ, ହେଲେ ପାଇ ନଥିଲେ। ଅନ୍ଧାର ପାଇଁ ନଦୀ ଭିତରେ ଖୋଜା ଖୋଜି କରିନଥିଲେ। ଆଜି ସକାଳେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରୁଛନ୍ତି।

ଚନ୍ଦନଙ୍କ ପତ୍ନୀ ଏକ ମାସ ପୂର୍ବରୁ ଆତ୍ମହତ୍ୟା କରିଥିଲେ। ତେବେ କେଉଁ ପରିସ୍ଥିତିରେ ବାପ ଝିଅ ନଦୀକୁ ଡେଇଁଲେ ତାର କାରଣ ଜଣାପଡିନାହିଁ। ପାରିବାରିକ କଳହ ଯୋଗୁଁ ଚନ୍ଦନ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି।