କଟକ ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ
କଟକ (ପୂର୍ଣ୍ଣେନ୍ଦୁ ପ୍ରଧାନ) କଟକ ଚୌଧୁରୀ ବଜାର ସ୍ଥିତ ସଲାସର୍ ଶାଢ଼ୀ ଦୋକାନରେ ଭୟାବହ ଅଗ୍ନିକାଣ ଘଟିଯାଇଛି। ଦୀର୍ଘ ତିନି ଘଣ୍ଟାର ଅପରେସନ୍ ପରେ ନିଆଁ ଆୟତ୍ତ ହୋଇଛି । ନିଆଁ ଲିଭା କାର୍ଯ୍ୟରେ ୭ଟି ଦମକଳ ଗାଡି ନିୟୋଜିତ ହୋଇଥିଲେ । ପ୍ରାୟ ୫୦ ଜଣ କର୍ମଚାରୀ ଏବଂ ଅଧିକାରୀ ନିୟୋଜିତ ହୋଇଥିଲେ ।
ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ଅଗ୍ନିଶମ ବିଭାଗ ଦୋକାନର ସିସିଟିଭିର ହାର୍ଡଡିସ୍କ ଜବତ କରିଛି । ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି କହିଛନ୍ତି ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ତଦନ୍ତ ହେବ । ସବୁ ବ୍ୟବସାୟିକ ପ୍ରତିଷ୍ଠାନର ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ହେବ ।
ସୂଚନା ଅନୁସାରେ, କଟକ ଚୌଧୁରୀ ବଜାର ସ୍ଥିତ ସଲାସର୍ ଶାଢ଼ୀ ଦୋକାନରେ ନିଆଁ ଲାଗିଥିଲା । ଶୁକ୍ରବାର ସକାଳ ୮ଟା ସୁଦ୍ଧା ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା ଯେ, ପ୍ରଥମ ମହଲାରୁ ଧୂଆଁ ବାହାରୁଛି । ବକ୍ସିବଜାର ଦମକଳବାହିନୀ କର୍ମଚାରୀ ଆସି ନିଆଁ ଲିଭାଇବା କାମ ଆରମ୍ଭ କରିଥିଲେ । ମାତ୍ର ସେତେବେଳକୁ ନିଆଁ ଦ୍ଵିତୀୟ ମହଲାକୁ ବ୍ୟାପିଥିଲା । ଅଣ ଓସାରିଆ ଘର ହୋଇଥିବାରୁ ନିଆଁ ଲିଭାଇବାରେ ଅସୁବିଧା ହୋଇଥିଲା । ନିଆଁ ଲିଭା କାମରେ ସିଡିଏ ଓ ଚାଉଳିଆଗଞ୍ଜ ଦମକଳ କେନ୍ଦ୍ର ଗାଡ଼ି ସାମିଲ ହୋଇଥିଲା ।
କୋଠାର କାଚ ଭାଙ୍ଗି ଭିତରକୁ ପଶି ଅଗ୍ନିଶମ ବାହିନୀ ନିଆଁ ଲିଭାଇଥିଲା । ଏହା ସହିତ ସ୍କାଏ ଲିପ୍ଟର ସହାୟତା ନିଆଯାଇଥିଲା । ହୋଲସେଲ ଦୋକାନ ହୋଇଥିବାରୁ ବହୁ ପରିମାଣରେ ଲୁଗା ମହଜୁଦ ରହିଥିଲା । ଲୁଗାରେ ନିଆଁ ଲାଗିଥିବାରୁ ସ୍ଥିତି ଭୟାବହ ହୋଇଥିଲା । ଏହା ସହିତ ପ୍ଲାଏ ରହିଥିବାରୁ ନିଆଁ ସହଜରେ ଲିଭିବା ସମ୍ଭବ ହୋଇନତିଲା । ତେବେ ଆଖପାଖ କୋଠାକୁ ଯେପରି ନିଆଁ ନବ୍ୟାପିବ ସେଥିପ୍ରତି ଅଗ୍ନିଶମ ବାହିନୀ ସତର୍କ ରହିଥିଲା । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଦୋକାନ ଭିତରେ ଲକ୍ଷାଧିକ ଟଙ୍କାର ଲୁଗା ପୋଡ଼ିଯାଇଛି ।